ବିଜେଡି ମାନିଲା କଂଗ୍ରେସ ନେତା ଭଲ: ମାନସ

ବିଜେଡି ମାନିଲା କଂଗ୍ରେସ ନେତା ଭଲ: ମାନସ

ବିଜେଡି ମାନିଲା କଂଗ୍ରେସ ନେତା ଭଲ: ମାନସ

ଭୁବନେଶ୍ୱର: ଶେଷରେ ବିଜେଡି ମାନିଲା କଂଗ୍ରେସ ନେତା ଭଲ ଓ ଏକ ନମ୍ବର। ସେଥିପାଇଁ ୨୧ ବର୍ଷ ଶାସନ ପରେ ବି ରାଜ୍ୟରେ ବିଜେଡି ପାଖରେ ନା ଭଲ ନେତା ଅଛନ୍ତି ନା ଅଛନ୍ତି ଭଲ କର୍ମୀ। ଏମିତିକି ବିଜେଡି ଯୋଗ୍ୟ ନେତାଟିଏ ସୃଷ୍ଟି କରିପାରିନାହିଁ। ତିନି ମହାନଗର ନିଗମ ପାଇଁ ବିଜେଡି ମେୟର ପ୍ରାର୍ଥୀ ଘୋଷଣା କରିବା ପରେ ଏଭଳି ମତ ରଖିଛନ୍ତି କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନସ ଚୌଧୁରୀ।

ମାନସ କହିଛନ୍ତି, ପଞ୍ଚାୟତ ନିର୍ବାଚନ ପରେ ଏବେ ପୌର ଲଢେଇ ଆରମ୍ଭ ହେଉଛି । ହେଲେ ନିଜକୁ ଏତେ ଶକ୍ତିଶାଳୀ କହୁଥିବା ତଥା ୨୨ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ତିନି ମହାନଗରରେ ମେୟର ପ୍ରାର୍ଥୀ ପାଇଲାନି ନିଜ ଦଳର ପୁରୁଣା ନେତା ଓ କର୍ମୀଙ୍କ ଭିତରୁ । କଟକରେ ବିଜେଡି ସୁବାସ ସିଂଙ୍କୁ ମେୟର ପ୍ରାର୍ଥୀ ଘୋଷଣା କରିଛି। ଶ୍ରୀ ସିଂ ହେଉଛନ୍ତି ଜଣେ ଟାଣୁଆ ନେତା, ହେଲେ ସେ ପୂର୍ବରୁ କମ୍ୟୁନିଷ୍ଟ ଦଳରୁ ଆସିଥିଲେ। ଅର୍ଥାତ କଟକରେ ମେୟର ପ୍ରାର୍ଥୀ ହେବାକୁ ବିଜେଡି ନିଜ ଦଳ ଭିତରେ ସେଭଳି କୌଣସି ନେତା ସୃଷ୍ଟି କରିପାରିନି।

ଶ୍ରୀ ଚୌଧୁରୀ ଆହୁରି କହିଛନ୍ତି, ଭୁବନେଶ୍ୱରରେ ସୁଲୋଚନା ଦାସଙ୍କୁ ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ସେ କଂଗ୍ରେସ ଦଳର ଜଣେ ଦକ୍ଷ ନେତ୍ରୀ ଥିଲେ। ପରେ ସେ ବିଜେଡିରେ ମିଶିଥିଲେ। ଅର୍ଥାତ ଭୁବନେଶ୍ୱରରେ ମେୟର ପ୍ରାର୍ଥୀ ହେବାକୁ ବିଜେଡି ଦଳ ଭିତରେ ନା କୌଣସି ଯୋଗ୍ୟ ନେତା ଅଛନ୍ତି ନା ଅଛନ୍ତି ଦକ୍ଷ କର୍ମୀ ।

କଂଗ୍ରେସ ନେତା ଶ୍ରୀ ଚୌଧୁରୀ କହିଛନ୍ତି, ବ୍ରହ୍ମପୁରରେ ବି ବିଜେଡି ମେୟର ପ୍ରାର୍ଥୀ କରିଥିବା ସଂଘମିତ୍ରା ଦଳେଇ ପୂର୍ବରୁ କଂଗ୍ରେସରେ ଥିଲେ। ଅର୍ଥାତ ମୁଖ୍ୟମନ୍ତ୍ରୀଙ୍କ ୨୨ବର୍ଷ ଶାସନ ଭିତରେ ବି ତାଙ୍କ ନିଜ ଜିଲ୍ଳାରେ  ବିଜେଡି ନେତା ସୃଷ୍ଟି କରିପାରିନାହିଁ। ଆଜିର ଘୋଷଣାରୁ ସ୍ପଷ୍ଟ ହୋଇଛି ଯେ କଂଗ୍ରେସର ନେତା ଓ କର୍ମୀ ଯୋଗ୍ୟ, ଦକ୍ଷ ଏବଂ ୧ ନମ୍ବର ବୋଲି ବିଜେଡି ମାନିଛି। ଆଜି ସ୍ପଷ୍ଟ ଭାବେ ବିଜେଡି ବି ମାନୁଛି, କଂଗ୍ରେସ ନେତା ଭଲ ଓ କଂଗ୍ରେସ କର୍ମୀ ଭଲ । କଂଗ୍ରେସ ନୀତି, କାର୍ଯ୍ୟ ସବୁ ଭଲ। ବିଜେଡି କେବଳ କଳା ଟଙ୍କା ବଳରେ ନିର୍ବାଚନ ଜିତୁଛି। କଂଗ୍ରେସ ହିଁ ଏକମାତ୍ର ବିକଳ୍ପ, ଏକଥାକୁ ସବୁ ବୁଝିବା ଦରକାର।