ବାଟବାଟୀ-କଟକ ନିର୍ବାଚନୀ ମାମଲା:ମୋକିମଙ୍କୁ ନୋଟିସ୍

ବାଟବାଟୀ-କଟକ ନିର୍ବାଚନୀ ମାମଲା:ମୋକିମଙ୍କୁ ନୋଟିସ୍

ବାଟବାଟୀ-କଟକ ନିର୍ବାଚନୀ ମାମଲା:ମୋକିମଙ୍କୁ ନୋଟିସ୍
କଟକ: ବାରବାଟୀ-କଟକ ଆସନରୁ ବିଧାୟକ ଭାବେ ଇଞ୍ଜିନିୟର ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଚ୍ୟାଲେଞ୍ଜ କରି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଦାୟର କରିଥିବା ନିର୍ବାଚନୀ ମୋକଦ୍ଧମାକୁ ବିଚାର ପାଇଁ ହାଇକୋର୍ଟ ଗ୍ରହଣ କରିଛନ୍ତି । ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ସାମନ୍ତରାୟଙ୍କ ଆବେଦନର ଶୁଣାଣି କରି ପ୍ରତିପକ୍ଷ ମହମ୍ମଦ ମୋକିମଙ୍କୁ ନୋଟିସ ଜାରି କରି ଜବାବ ଦାଖଲ ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ପ୍ରତିପକ୍ଷଙ୍କୁ ସ୍ପେଶାଲ ମେସେଞ୍ଜର ମାଧ୍ୟମରେ ନୋଟିସ ପ୍ରଦାନ ପାଇଁ ନିଦେ୍ର୍ଧଶ ଦିଆଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣି ୨୦୧୯, ସେପ୍ଟେମ୍ବର ୧୩ ତାରିଖରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି । ମାମଲାର ବିବରଣୀରୁ ପ୍ରକାଶ ଯେ ବାରବାଟୀ କଟକ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ ବିଜୟୀ ହୋଇଥିବା ବେଳେ ନାମାଙ୍କନ ପତ୍ର ଦାଖଲ ସମୟରେ ସେ ଯେଉଁ ସତ୍ୟପାଠ ଦାଖଲ କରିଥିଲେ ତାହା ଅସମ୍ପୂର୍ଣ୍ଣ ବୋଲି ଅଭିଯୋଗ ହୋଇଛି । ଦାଖଲ ନିର୍ବାଚନୀ ମୋକଦ୍ଧମାରେ ଦର୍ଶାଯାଇଛି ଯେ ପ୍ରତିପକ୍ଷ ନିଜ ସତ୍ୟପାଠରେ ବହୁ ତଥ୍ୟ ଲୁଚାଇ ଥିଲେ । ସତ୍ୟପାଠରେ ତାଙ୍କ ନାଁରେ ଥିବା ବିଭିନ୍ନ ମାମଲା ସଂକ୍ରାନ୍ତରେ ଠିକ୍ ତଥ୍ୟ ଦିଆଯାଇ ନାହିଁ । ସମ୍ପତ୍ତି ସମ୍ପର୍କରେ ମଧ୍ୟ ସତ୍ୟପାଠରେ ଠିକ୍ ତଥ୍ୟ ଉଲ୍ଲେଖ କରାଯାଇ ନାହିଁ । ନାମାଙ୍କନ ପତ୍ର ଦାଖଲ ସମୟରେ ମହମ୍ମଦ ମୋକିମ ଦାଖଲ କରିଥିବା ସତ୍ୟପାଠରେ ଅସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବାରୁ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ । ଏହା ସହିତ ବାରବାଟୀ-କଟକ ଆସନ ପାଇଁ ସାନି ନିର୍ବାଚନ ଲାଗି ହାଇକୋର୍ଟ ନିଦେ୍ର୍ଧଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମିଲନ କାନୁନଗୋ ଓ ଆଇନଜୀବୀ ଗୋପାଳ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି ।