ପ୍ରିୟଙ୍କାଙ୍କ ଆଉ ଏକ ବଡ଼ ଘୋଷଣା
ପ୍ରିୟଙ୍କାଙ୍କ ଆଉ ଏକ ବଡ଼ ଘୋଷଣା
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଏବେ ଫୁଲ ଦମ ଲଗେଇ ଦେଇଛି କଂଗ୍ରେସ।ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବଡ଼ବଡ଼ ଘୋଷଣା କରି ଚାଲିଛି ଦଳ। ଦଳର ଚେହେରା ତଥା ମୁଖ୍ୟ ଆକର୍ଷଣ ପ୍ରିୟଙ୍କା ଗାନ୍ଧି ଏବେ ପୂରା ସକ୍ରିୟ ହୋଇ ଉତ୍ତରପ୍ରଦେଶରେ ଡେରା ପକେଇ ଲାଗିପଡିଛନ୍ତି ଲୋକଙ୍କ ମନ ଜିତିବା ପାଇଁ। ପୂର୍ବରୁ ୨୦ ଲକ୍ଷ ନିଯୁକ୍ତି, ଋଣ ଛାଡ଼, ଛାତ୍ରୀଙ୍କୁ ସ୍ମାର୍ଟଫୋନ ଓ ଇ-ସ୍କୁଟି ଦେବାକୁ ଘୋଷଣା କରିଥିବା କଂଗ୍ରେସ ଏବେ ଆଉ ଏକ ବଡ଼ ପ୍ରତିଶ୍ରୁତି ଦେଇଛି।
ପ୍ରିୟଙ୍କା ଘୋଷଣା କରିଛନ୍ତି, ଯଦି କଂଗ୍ରେସ ଉତ୍ତର ପ୍ରଦେଶରେ କ୍ଷମତାକୁ ଆସିବ, ତା’ହେଲେ ସଭିଙ୍କୁ ୧୦ ଲକ୍ଷ ଟଙ୍କା ଯାଏ ମାଗଣା ଚିକିତ୍ସା ଓ ମେଡିକାଲ ସୁବିଧା ଯୋଗାଇ ଦିଆଯିବ। ଏଥିସହ ସେ ଉତ୍ତର ପ୍ରଦେଶରେ କ୍ଷମତାସୀନ ବିଜେପି ସରକାର ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।
ଲକ୍ଷ୍ମୀପୁର ଖେରି ଘଟଣା ପରଠୁ ଉତ୍ତରପ୍ରଦେଶରେ ଅଚାନକ କଂଗ୍ରେସ ସକ୍ରିୟ ହୋଇପଡିଛନ୍ତି। ପ୍ରିୟଙ୍କା କେତେବେଳେ ରାତି ଅଧରେ ନିହତ ଚାଷୀଙ୍କ ପରିବାକୁ ଭେଟିବାକୁ ଯାଇ ପୁଲିସ ଦ୍ୱାରା ଅଟକ ହେଉଛନ୍ତି ପୁଣି କେତେବେଳେ ପୀଡ଼ିତ ଲୋକଙ୍କୁ ଭେଟିବାକୁ ଏନଏଚରେ ପୁଲିସ ସହ ଯୁକ୍ତି କରୁଛନ୍ତି, ଖାଲି ସେତିକିବେଳେ କେବେ ଦୁର୍ଘଟଣାରେ ଆହତ ଛାତ୍ରୀଙ୍କୁ ନିଜେ ଫାଷ୍ଟଏଡ ସେବା କରୁଛନ୍ତି। କେବେ ମହିଳା ପୁଲିସ କର୍ମଚାରୀ ପ୍ରିୟଙ୍କାଙ୍କ ସହ ସେଲ୍ଫି ଉଠଉଛନ୍ତି ତ ଆଉ କେବେ ଚାଷ ଜମିରେ ପହଂଚି ମହିଳାଙ୍କ ସହ ପ୍ରିୟଙ୍କା ଆଲୋଚନା କରୁଛନ୍ତି, ସେମାନଙ୍କ ସହ ରୁଟି, ଗୁଡ଼ ଆଉ ଜଲେବି ଖାଉଛନ୍ତି। ପ୍ରିୟଙ୍କା ଏବେ ୟୁପି ରାଜନୀତିରେ ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି। ତେବେ ଏଥିରେ କଂଗ୍ରେସ କେତେ ବଳ ବଢ଼ାଉଛି, ତାହା ଆଗାମୀ ସମୟ କହିବ।




admin 