ପୁରୀରୁ କୋଣାର୍କକୁ ରେଳ ଗଡ଼ିବା ବାଟ ଫିଟିଲା, ଦାଖଲ ହେଲା ଚୂଡ଼ାନ୍ତ ସର୍ଭେ ରିପୋର୍ଟ

ପୁରୀରୁ କୋଣାର୍କକୁ ରେଳ ଗଡ଼ିବା ବାଟ ଫିଟିଲା, ଦାଖଲ ହେଲା ଚୂଡ଼ାନ୍ତ ସର୍ଭେ ରିପୋର୍ଟ

ପୁରୀରୁ କୋଣାର୍କକୁ ରେଳ ଗଡ଼ିବା ବାଟ ଫିଟିଲା, ଦାଖଲ ହେଲା ଚୂଡ଼ାନ୍ତ ସର୍ଭେ ରିପୋର୍ଟ

ପୁରୀ : ପୁରୀରୁ କୋଣାର୍କକୁ ରେଳପଥ ସଂଯୋଗ ଆଶ ଉଜ୍ଜ୍ବଳ ହୋଇଛି। ସମାଧାନର ବାଟ ଫିଟିଛି। ଅଗଷ୍ଟରେ ପୂର୍ବତଟ ରେଳପଥ ପୁରୀ-କୋଣାର୍କ ରେଳପଥର ଚୂଡ଼ାନ୍ତ ସର୍ଭେ ରିପୋର୍ଟ ରେଲୱେ ବୋର୍ଡକୁ ପ୍ରଦାନ କରିଛନ୍ତି । ପୂର୍ବରୁ ସିଆରଜେଡକୁ ନେଇ ସମସ୍ୟା ଦେଖା ଦେଇଥିଲା । ବନ ବିଭାଗ ଏ ନେଇ ଆପତ୍ତି ଉଠାଇଥିଲା । ଏବେ ନୂଆ ଓ ବିକଳ୍ପ ରାସ୍ତା ଖୋଜାଯାଇଛି, ଯାହା ସିଆରଜେଡରେ ଆସୁନି। ଏହି ଚୂଡ଼ାନ୍ତ ରିପୋର୍ଟ ରେଲୱେ ବୋର୍ଡକୁ ପ୍ରଦାନ କରାଯାଇଥିବା ପୂର୍ବତଟ ରେଳପଥ ସ୍ପଷ୍ଟ କରିଛି । ଫଳରେ ଦୁଇଦଶନ୍ଧି ଧରି ପୁରୀ-କୋଣାର୍କ ରେଳପଥ ସଂଯୋଗ ନେଇ ରାଜ୍ୟବାସୀ ଯେଉଁ ସ୍ୱପ୍ନ ଦେଖୁଥିଲେ, ତାହା ସାକାର ହେବାକୁ ଯାଉଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିକଟରେ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଜନଆଶୀର୍ବାଦ ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ପୁରୀ-କୋଣାର୍କ ରେଳପଥ ପ୍ରସଙ୍ଗ ଉଠିଥିଲା । ସେ ସମୟରେ ପୁରୀ-କୋଣାର୍କ ରେଳପଥ ସର୍ଭେ କାମ ଚାଲିଛି ବୋଲି କହିଥିଲେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ । ଏହି ରେଳପଥ ଉପରେ ପୁରୀ ବିକାଶ ପରିଷଦକୁ ଲେଖିଥିବା ଚିଠିରେ ରେଳବାଇ ବୋର୍ଡକୁ ପୁରୀ-କୋଣାର୍କ ରେଳପଥର ଚୂଡ଼ାନ୍ତ ସର୍ଭେ ରିପୋର୍ଟ ପ୍ରଦାନକରିଥିବା ପୂର୍ବତଟ ରେଳପଥ ଉପମୁଖ୍ୟ ଇଂଜିନିୟର ଜି. କେ. ରାଓ କହିଛନ୍ତି । ଇଂ. ରାଓ ଚିଠିରେ କହିଛନ୍ତି ଯେ ପୁରୀ-କୋଣାର୍କ ରେଳପଥ ଭାୟା ରାମଚଣ୍ଡୀ ଦେଇ ଯିବାକୁ ଯୋଜନା ହୋଇଛି । ପୂର୍ବରୁ ଏହାର ପ୍ରାଥମିକ ଇଂଜିନିୟରିଂ ତଥା ଟ୍ରାଫିକ(ପିଇଟି) ସର୍ଭେ କରାଯାଇଥିଲା । ଏହାର ବିସ୍ତୃତ ରିପୋର୍ଟ ବି ପ୍ରସ୍ତୁତ ହୋଇଥିଲା । ପରେ ଏହି ରିପୋର୍ଟରେ ସାମାନ୍ୟ ପରିବର୍ତ୍ତନ କରି ୨୦୧୭ ମସିହାରେ ରେଲୱେ ବୋର୍ଡକୁ ପ୍ରଦାନ କରାଯାଇଥିଲା । କିନ୍ତୁ ସେ ସମୟରେ ବନ ବିଭାଗ ରିପୋର୍ଟକୁ ନେଇ ଆପତ୍ତି ଉଠାଇଥିଲା । ପ୍ରସ୍ତାବିତ ପ୍ରକଳ୍ପ ପୁରୀ-କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟର ସମ୍ବେଦନଶୀଳ(ଇକୋ ସେନସିଟିଭ ଜୋନ) ଅଞ୍ଚଳ ସହ ସିଆରଜେଡ ନିୟମକୁ ଉଲ୍ଲଂଘନ କରୁଥିବା ଚିଠି ଲେଖି ଜଣାଇଥିଲା । ପରେ ପୁନର୍ବାର ଏହାର ସର୍ଭେ କରାଯାଇଥିଲା ଓ ଆଉ ଏକ ନୂଆ ରିପୋର୍ଟ ପ୍ରସ୍ତୁତ ହୋଇଥିଲା । ଯେଉଁ ସର୍ଭେ ରିପୋର୍ଟରେ ବନ ବିଭାଗ ଆପତ୍ତି ଉଠାଇଥିବା ସମ୍ବେଦନଶୀଳ ଅଞ୍ଚଳକୁ ବାଦ ଦିଆଯାଇଛି । ବିକଳ୍ପ ରାସ୍ତା ଖୋଜାଯାଇ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ ହୋଇଛି ଓ ଏହା ଗତ ଅଗଷ୍ଟ ୨୧ ତାରିଖରେ ରେଲୱେ ବୋର୍ଡକୁ ପ୍ରଦାନ (ଚିଠି ସଂଖ୍ୟା-୨୦୨୦/ଡବ୍ଲୁ-୨/ଇଷ୍ଟକୋଷ୍ଟ ରେଲୱେ /୦୩/୩୮/୨୩/୬/୨୦୨୧) କରାଯାଇଛି ବୋଲି ଇଂ. ରାଓ କହିଛନ୍ତି। ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବାରୁ ଏବଂ ପୁରୀରେ ଏକ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବାରୁ ପୁରୀ-କୋଣାର୍କ ରେଳପଥ ସଂଯୋଗର ଆବଶ୍ୟକତା ରହିଥିବା ମତପ୍ରକାଶ ପାଇଛି।  ସୂଚନାଯୋଗ୍ୟ, ପୁରୀରୁ କୋଣାର୍କ ମଧ୍ୟରେ ୩୫ କିମି ରେଳପଥ ନିର୍ମାଣ ପାଇଁ ପ୍ରାୟ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରକଳ୍ପର ୫୦% ଖର୍ଚ୍ଚ ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ୪ ବର୍ଷ ତଳେ ଘୋଷଣା କରିଥିଲେ । ପୁରୀ-କୋଣାର୍କ ରେଳପଥ ନିର୍ମାଣ କରାଗଲେ ପର୍ୟ୍ୟଟନର ବିକାଶ ତ୍ୱରାନ୍ୱିତ ହୋଇପାରିବ। ସ୍ଥାନୀୟ ଅଧିବାସୀଙ୍କ ସମେତ ପର୍ୟ୍ୟଟକମାନେ ଉପକୃତ ହେବେ ।