ପଥର ସନ୍ଧିରେ ୧୦ ଘଣ୍ଟା ନାବାଳକ ମୁଣ୍ଡ
ପଥର ସନ୍ଧିରେ ୧୦ ଘଣ୍ଟା ନାବାଳକ ମୁଣ୍ଡ
ନବରଙ୍ଗପୁର: ଛେଳି ଚରାଇବାକୁ ଯାଇଥିଲେ ନାବାଳକ। ହେଲେ ଅସାବଧାନତା ଯୋଗୁଁ ପଥର ସନ୍ଧିରେ ଅଟକିଗଲା ମୁଣ୍ଡ। ପ୍ରାୟ ୧୦ ଘଣ୍ଟାର କସରତ ପରେ ଉଦ୍ଧାର ହୋଇଛି ନାବାଳକ। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ପଂଚାୟତ ଅନ୍ତର୍ଗତ ବରିପଦାର ଗାଁ ସୀମାନ୍ତ ତଥା କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ କରାଘାଟି ଗାଁର ଘଟଣା।
ବରିପଦର ଗାଁ ସୀମାନ୍ତକୁ ଲାଗି ରହିଥିବା କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ କରାଘାଟି ଗ୍ରାମର ଜଣେ ୧୨ ବର୍ଷୀୟ ବାଳକ ଆଜି ପୂର୍ବାହ୍ନରେ ନିକଟସ୍ଥ କରାଘାଟି ପାହାଡ଼କୁ ଛେଳି ଚରେଇବା ପାଇଁ ଯାଇଥିଲେ। ପାହାଡ଼ ଉପରେ ଛେଳି ଚରେଇବା ସମୟରେ ବାଳକ ଜଣଙ୍କ ମୁଣ୍ଡ ଦୁଇ ପଥର ସନ୍ଧିରେ ଫସି ଯାଇଥିଲା। ବାଳକଙ୍କ ଗୋଡ଼ ଦୁଇଟି ଉପରେ ଥୁବା ବେଳେ ମୁଣ୍ଡଟି ପଥର ସନ୍ଧିରେ ଫସି ରହିଥିଲା। ବାଳକଙ୍କ ମୁଣ୍ଡ କେମିତି ପଥର ସନ୍ଧିରେ ଫସିଲା ତାହା ଅସ୍ପଷ୍ଟ ରହିଛି। ତେବେ ପଥର ଦେହରେ ବାଳକ ଜଣଙ୍କ ଶୋଇପଡ଼ିଥିାବ ସମୟରେ ଖସିପଡ଼ି ଏଭଳି ଅଘଟଣ ଘଟିଥିବା କୁହାଯାଉଛି।
ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ବାଳକଙ୍କ ମୁଣ୍ଡ ପଥର ସନ୍ଧିରେ ଫସିଥିଲା। ବାଳକଙ୍କ ଚିତ୍କାର ଶୁଣି ନିକଟରେ ଥିବା ଜଣେ ବ୍ୟକ୍ତି ପାଖକୁ ଯାଇ ଦେଖିଲା ବେଳକୁ ବାଳକଙ୍କ ମୁଣ୍ଡ ପଥର ସନ୍ଧିରେ ଲାଗିଯାଇଥିବା ଦେଖିବାକୁ ପାଇଥିଲେ। ଖବର ପାଇ ଗ୍ରାମର କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ବାଳକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ହେଁ ଉଦ୍ଧାର କରିବାରେ ସଫଳ ହୋଇନଥିଲେ। ବହୁ ଚେଷ୍ଟା ପରେ ମଧ୍ୟ ବାଳକଙ୍କ ମୁଣ୍ଡ ବାହାରକୁ ବାହାରିନଥିଲା। ଅପରାହ୍ନରେ ତେନ୍ତୁଳିଖୁଣ୍ଟି ଗୋଷ୍ଟୀ ଉନ୍ନୟନ ଅଧିକାରୀ ଦୁର୍ୟ୍ୟୋଧନ ଭୋଇ ଏହି ଖବର ଶୁଣି ତୁରନ୍ତ ତେନ୍ତୁଳିଖୁଣ୍ଟି ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ। ଖୋଦ ବିଡ଼ିଓଙ୍କ ସମେତ ଜିପିଇଓ ମଣ୍ଟୁ ସ୍ୱାଇଁ ଘଟଣାସ୍ଥଳରେ ପହଂଚି ସହଯୋଗର ହାତ ବଡେଇଥିଲେ।
ତେବେ ଆଜି ପୂର୍ବାହ୍ନ ୧୦ ଘଣ୍ଟା ସମୟରୁ ପଥର ସନ୍ଧିରେ ଫସିଥିବା ବାଳକଙ୍କୁ ରାତ୍ର ୮ ଘଣ୍ଟା ସମୟରେ ଉଦ୍ଧାର କରାଯାଇଥିଲା। ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଅକ୍ଲାନ୍ତ ଉଦ୍ୟମ ପରେ ବାଳକଙ୍କୁ ଉଦ୍ଧାର କରାଯାଇଛି। ଏହାପରେ ବିଡ଼ିଓଙ୍କ ଗାଡି ଯୋଗେ ପାତ୍ରପୁଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଯାଇଥିବା ଜଣାପଡିଛି। ପାତ୍ରପୁଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ପଚିକିତ୍ସା ପରେ ତେନ୍ତୁଳିଖୁଣ୍ଟି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯଇଥୁବା ଦେଖିବାକୁ ମିଳିଛି। ବିଡ଼ିଓ ତଥା ଅଗ୍ନିଶମ କର୍ମଚାରୀଙ୍କୁ ବିଭିନ୍ନ ମହଲରୁ ସାଧୁବାଦ ଜ୍ଞାପନ କରାଯାଇଛି।




admin 