ପଞ୍ଜାବ ପରେ ରାହୁଲଙ୍କ ନଜରରେ ରାଜସ୍ଥାନ

ପଞ୍ଜାବ ପରେ ରାହୁଲଙ୍କ ନଜରରେ ରାଜସ୍ଥାନ

ପଞ୍ଜାବ ପରେ ରାହୁଲଙ୍କ ନଜରରେ ରାଜସ୍ଥାନ


ନୂଆଦିଲ୍ଲୀ: ପଞ୍ଜାବରେ ଅଦଳବଦଳ ପରେ କଂଗ୍ରେସ ଏବେ ରାଜସ୍ଥାନରେ ପରିବର୍ତ୍ତନ ପାଇଁ କମର କଷିଲାଣି । ଏ ନେଇ ନିକଟରେ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ମଧ୍ୟରେ ଲମ୍ବା ଆଲୋଚନା ହୋଇଛି । ଆଲୋଚନା ବାବଦରେ କେହି ମୁହଁ ଖୋଲିନଥିବାବେଳେ ରାଜସ୍ଥାନରେ କଂଗ୍ରେସ ଓ ସରକାରର ନବକଳେବର ନେଇ ସଚିନଙ୍କ ସହ ରାହୁଲ କଥା ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳୁଛି । 

  ବିଭିନ୍ନ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ନିକଟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ସହ ଆଲୋଚନା କରିଛନ୍ତି । କଂଗ୍ରେସ ସୂତ୍ରର ଖବର ଅନୁଯାୟୀ ପଞ୍ଜାବ ଭଳି ଅଚାନକ ଏଠାରେ ମୁଖ୍ୟମନ୍ତ୍ରୀ ବଦଳିବେ ନାହିଁ । ଗେହଲଟ ଗତ କିଛି ମାସ ହେବ ଅସୁସ୍ଥ ଥିବାବେଳେ ନିକଟରେ ତାଙ୍କର ଅସ୍ତ୍ରୋପଚାର ହୋଇଛି । ସେ ସାମାନ୍ୟ ସୁସ୍ଥ ହେବା ପରେ ଖୁବଶୀଘ୍ର ରାଜସ୍ଥାନ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଓ ପରିବର୍ତ୍ତନ ହେବ । ଏଥିରେ ସଚିନଙ୍କ ସମର୍ଥକ ବିଧାୟକମାନଙ୍କୁ ସ୍ଥାନ ମିଳିବ । ସଚିନ ଦୀର୍ଘଦିନରୁ ଯେଉଁ ଦାବି କରି ଆସୁଥିଲେ, ତାହାକୁ ଶୀଘ୍ର ପୂରଣ କରାଯିବ । ଅର୍ଥାତ୍ ଅକ୍ଟୋବରରେ ରାଜସ୍ଥାନ ସରକାରରେ ବଡ଼ ପରିବର୍ତ୍ତନ ହୋଇପାରେ । ବିଭିନ୍ନ ନିଗମରେ ମଧ୍ୟ ସଚିନଙ୍କ ସମର୍ଥକ ନେତାମାନଙ୍କୁ ସ୍ଥାନ ଦିଆଯିବ । ଏ ନେଇ ରାହୁଲ ମଧ୍ୟ ସଚିନଙ୍କୁ ଆଶ୍ୱସ୍ତ କରିଛନ୍ତି ।

୨୦୧୮ରେ ରାଜସ୍ଥାନ ବିଧାନସଭାରେ ବଡ଼ ବିଜୟ ହାସଲ  କରି କଂଗ୍ରେସ ସରକାର ଗଢ଼ିଥିଲା । ହେଲେ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ରାଜ୍ୟର ସମସ୍ତ ୨୫ଟି ଆସନରେ ପରାଜିତ ହୋଇଥିଲା । ଏ ଧକ୍କାକୁ ଆଜିଯାଏ ରାହୁଲ ଭୁଲିପାରିନାହାନ୍ତି । ତେଣୁ ୨୦୨୩ରେ ହେବାକୁ ଥିବା ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସରେ ବଡ଼ ପରିବର୍ତ୍ତନ କରିବାକୁ ରାହୁଲ ମନସ୍ଥ କରିଛନ୍ତି । ସମ୍ଭବତଃ ସଚିନଙ୍କୁ ପୁଣି ପିସିସି ସଭାପତି ଦାୟିତ୍ୱ ଦିଆଯାଇପାରେ । ଏପରିକି ଉତ୍ତରପ୍ରଦେଶ ଓ ପଞ୍ଜାବ ନିର୍ବାଚନ ପରେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ବଦଳାଇପାରେ କଂଗ୍ରେସ । ବୟସ୍କଙ୍କ ଗେହଲଟଙ୍କ ବଦଳରେ ଯୁବ ଚେହେରାଙ୍କୁ କଂଗ୍ରେସ ମୁଖ୍ୟମନ୍ତ୍ରୀ କରିପାରେ । ଏଥିରେ ମଧ୍ୟ ସଚିନଙ୍କ ନାଁ ଆଗରେ ଅଛି । ନଚେତ୍ ସ୍ୱଳ୍ପ ଅବଧି ପାଇଁ ଜାତିଗତ ଆଧାରରେ କୌଣସି ନୂଆ ଚେହେରାକୁ ରାହୁଲ ମୁଖ୍ୟମନ୍ତ୍ରୀ କରିପାରନ୍ତି । ମାତ୍ର ଏବେ କୌଣସି ରିକ୍ସ ନେବାକୁ ଚାହୁଁନାହାନ୍ତି ରାହୁଲ । ଯାହା କିଛି ହେବ ୫ଟି ରାଜ୍ୟର ନିର୍ବାଚନ ପରେ ।

ପଞ୍ଜାବ ଭଳି ରାଜସ୍ଥାନକୁ ନେଇ ମଧ୍ୟ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ପରାମର୍ଶ ଲୋଡ଼ିଛି କଂଗ୍ରେସ । ରାଜସ୍ଥାନ ପାଇଁ ମଧ୍ୟ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ଚାଲିଛି । ପଞ୍ଜାବରେ ଚରଣଜିତ ସିଂ ଚନ୍ନୀଙ୍କୁ ମୁଖ୍ୟମନ୍ତ୍ରୀ କରି ରାହୁଲ ପ୍ରମାଣିତ କରିଛନ୍ତି, ସେ ବି ବଳିଷ୍ଠ ପଦକ୍ଷେପ ନେଇପାରନ୍ତି । ଆଗାମୀଦିନରେ ରାଜସ୍ଥାନ ରହିଛି ରାହୁଲଙ୍କ ନଜରରେ ।