ପଞ୍ଚାୟତ ନିର୍ବାଚନ; ଭୁଲ୍ ସତ୍ୟପାଠ ଦେଲେ କାର୍ୟ୍ୟାନୁଷ୍ଠାନ
ପଞ୍ଚାୟତ ନିର୍ବାଚନ; ଭୁଲ୍ ସତ୍ୟପାଠ ଦେଲେ କାର୍ୟ୍ୟାନୁଷ୍ଠାନ
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ସ୍ୱଚ୍ଛତା ଆଣିବାକୁ ଏଥର ପ୍ରଣୟନ ହୋଇଛି ନୂଆ ବ୍ୟବସ୍ଥା। ଏ ସମ୍ପର୍କୀତ ଗେଜେଟ ପ୍ରକାଶିତ ହୋଇଛି। ଫଳରେ ତୃଣମୂଳ ସ୍ତରରେ ମଇଦାନକୁ ଓହ୍ଲାଇବାକୁ ଥିବା ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ ସତ୍ୟପାଠ ଜରିଆରେ ନିଜ ସମ୍ପର୍କୀତ ତଥ୍ୟ ଦେବେ। ପରବର୍ତ୍ତୀ ସମୟରେ ଏହା ଭୁଲ୍ ପ୍ରମାଣିତ ହେଲେ ସେମାନଙ୍କ ବିରୋଧରେ ନିଆଯିବ କଡ଼ା କାର୍ୟ୍ୟାନୁଷ୍ଠାନ। ଆଜି ଏହି ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଛି ଆଇନ ବିଭାଗ।
ଆଇନ ବିଭାଗ ପକ୍ଷରୁ ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ, ଏଣିକି ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ସତ୍ୟପାଠ ଜରିଆରେ ତଥ୍ୟ ଦେବେ।ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟଙ୍କ ପାଇଁ ଏହି ନିୟମ କଡ଼ାକଡ଼ି ଲାଗୁ ହେବ। ସେମାନେ ନିଜ ନାଁରେ ଥିବା ଅପରାଧିକ ମାମଲା, ସମ୍ପତ୍ତି, ଶିକ୍ଷାଗତ ଯୋଗ୍ୟତାର ତଥ୍ୟ ଦେବାକୁ ବାଧ୍ୟତାମୂଳକ କରାଯାଇଛି।
ନାମାଙ୍କନ ପତ୍ର ଦାଖଲ ବେଳେ ପ୍ରାର୍ଥୀମାନେ ଏହି ତଥ୍ୟ ଦାଖଲ କରିବେ । ଏହାକୁ ସାର୍ବଜନୀନ କରାଯାଇ ଓ ସମସ୍ତ ତଥ୍ୟ ୱେବସାଇଟ୍ରେ ଉପଲବ୍ଧ ହେବ। ପରବର୍ତ୍ତୀ ସମୟରେ କୌଣସି ପ୍ରାର୍ଥୀ ଭୁଲ ତଥ୍ୟ ଦେଇଥିବା ପ୍ରମାଣିତ ହେଲେ ୬ ମାସ ପର୍ୟ୍ୟନ୍ତ ଜେଲ୍ ଓ ଜରିମାନା ଭୋଗିବାକୁ ପଡ଼ିବ । ଏନେଇ ଆଇନ ବିଭାଗ ପକ୍ଷରୁ ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଓଡ଼ିଶା ପଞ୍ଚାୟତ ଆଇନର ସଂଶୋଧନ କରାଯିବ।
ସୂଚନାଯୋଗ୍ୟ, ପୂର୍ବରୁ ଏହି ନିୟମ ଲୋକସଭା ଓ ବିଧାନସଭା ନିର୍ବାଚନ ବେଳେ କଡ଼ାକଡ଼ି ଲାଗୁ କରାଯାଉଥିଲା। ଫଳରେ ସାଂସଦ ତଥା ବିଧାୟକ ପ୍ରାର୍ଥୀ ନିଜ ସମ୍ପର୍କତ ସମସ୍ତ ତଥ୍ୟ ଦାଖଲ କରୁଥିଲେ। ଏବେ ଏହାକୁ ତୃଣମୂଳ ସ୍ତରରେ ଲାଗୁ କରାଯାଇଛି। ଏହାଦ୍ୱାରା ପଞ୍ଚାୟତ ନିର୍ବାଚନରେ କେତେ ସ୍ୱଚ୍ଛତା ଆସିବ ତାହା ଭବିଷ୍ୟତରେ ହିଁ ଜଣାପଡ଼ିବ ।




admin 