ନବୀନ, ଧର୍ମେନ୍ଦ୍ର, ନିରଞ୍ଜନ ଓହ୍ଲାଇବେ କି
ନବୀନ, ଧର୍ମେନ୍ଦ୍ର, ନିରଞ୍ଜନ ଓହ୍ଲାଇବେ କି
ଭୁବନେଶ୍ୱର: ପୌର ନିର୍ବାଚନ ପ୍ରଚାର ଥମିଯିବ ୨୨ ତାରିଖ ସନ୍ଧ୍ୟା ୫ଟାରେ । ହେଲେ ଏଯାଏଁ ପ୍ରଚାର ମଇଦାନକୁ ଓହ୍ଲାଇନାହାନ୍ତି ତିନି ଦଳର ହେଭିୱେଟ ନେତା । ବିଜେଡି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପିର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଂଗ୍ରେସ ଲାଗି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବର୍ତ୍ତମାନ ସୁଦ୍ଧା ପୌର ନିର୍ବାଚନ ପ୍ରଚାରକୁ ଓହ୍ଲାଇନାହାନ୍ତି । ଏହି ତିନି ନେତାଙ୍କ ପ୍ରଚାରକୁ ସେମାନଙ୍କ ଦଳର ନେତା, ପ୍ରାର୍ଥୀ, ସମର୍ଥକ, କର୍ମୀ ଅନେଇ ରହିଛନ୍ତି । ମତଦାତା ବି ଅପେକ୍ଷା କରିଛନ୍ତି, ଏହି ୩ ନେତା କ’ଣ କହିବେ?
ପ୍ରଚାର ସରିବାକୁ ଆଉ ମାତ୍ର ଦୁଇଟି ଦିନ । ମଙ୍ଗଳବାର ସନ୍ଧ୍ୟାରେ ପ୍ରଚାର ଶେଷ । ହେଲେ ଏଥର ପୌର ଲଢେ଼ଇରେ ନା କୌଣସି ବଡ଼ ସମାବେଶ ନା ବିଶେଷ ନିର୍ବାଚନୀ ସଭା ଦେଖିବାକୁ ମିଳିଛି । ଛୋଟ ସଭା, ରାଲି ଓ ଘରଘର ବୁଲି ପ୍ରଚାର ସହ ବଜାରଘାଟ ବୁଲି ଭୋଟ ମାଗୁଛନ୍ତି ପ୍ରାର୍ଥୀ । ଏବେ ସରିଥିବା ପଂଚାୟତ ନିର୍ବାଚନରେ ବିଜେଡି ପାଇଁ ନବୀନ ମଇଦାନକୁ ଓହ୍ଲାଇ ପ୍ରଚାର କରିବେ ବୋଲି ଆଶା କରାଯାଉଥିଲା । ମାତ୍ର ନବୀନ ପ୍ରଚାର କଲେନି । ହେଲେ ନବୀନଙ୍କ ଲୋକପ୍ରି୍ରୟତା ବଳରେ ବିଜେଡି ଐତିହାସିକ ବିଜୟ ହାସଲ କଲା । ଏଥର ପୌରରେ ବି ନବୀନ ପ୍ରଚାର ମଇଦାନକୁ ଓହ୍ଲାଇବା ସମ୍ଭାବନା କମ୍ । ନବୀନଙ୍କ ନାଁରେ ଭୋଟ ମାଗୁଛି ବିଜେଡି । ପଂଚାୟତ ଭଳି ନବୀନଙ୍କ ଲୋକପ୍ରିୟତାକୁ ବଳ କରି ବିଜେଡି ବାଜିମାତ୍ କରିବାକୁ ଲକ୍ଷ୍ୟ ରଖିଛି । ତଥାପି ନବୀନ ପ୍ରେମୀ ଅପେକ୍ଷା କରିଛନ୍ତି, କାଳେ ନବୀନ ପ୍ରଚାର ମଇଦାନକୁ ଓହ୍ଲାଇ ହାତ ହଲାଇ ଭୋଟ ମାଗିବେ...?
ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ଧର୍ମେନ୍ଦ୍ର ୟୁପିରେ ଡେରା ପକାଇ ରହିଲେ । ହେଲେ ଧର୍ମେନ୍ଦ୍ରଙ୍କ ବିନା ଓଡ଼ିଶାରେ ପଂଚାୟତ ଲଢେ଼ଇରେ ବିଜେପି ଏକଲା ପଡ଼ିଗଲା । ନା ଥିଲା ଜୋଶ୍ ନା ଦମ୍ଭ । ବିଜେପି ପୂରା ଚିତପଟାଙ୍ଗ ମାରିଲା । ବିଜେଡି ଏକାକି ସବୁ ଜିଲ୍ଲା ପୋଛି ନେଲା । ଆଶା କରାଯାଉଥିଲା, ୟୁପି ଭୋଟ ପରେ ଧର୍ମେନ୍ଦ୍ର ଓଡ଼ିଶା ଫେରି ପୌର ନିର୍ବାଚନରେ ଦଳ ପାଇଁ ମଙ୍ଗ ଧରିବେ ପ୍ରଚାରର । ମାତ୍ର ଏଯାଏଁ ଧର୍ମେନ୍ଦ୍ରଙ୍କୁ ଦେଖିଲାନି ପ୍ରଚାରରେ । ଶେଷ ଦୁଇଦିନରେ ଧର୍ମେନ୍ଦ୍ର ପ୍ରଚାର କରିବା ସମ୍ଭାବନା କମ୍ ବୋଲି କୁହାଯାଉଛି । ତେଣୁ ବିଜେପି କର୍ମୀଙ୍କ ମନୋବଳ ବି ଦୁର୍ବଳ ହୋଇଯାଇଛି ।
ଏବେ ନଜର ପକାଇବା କଂଗ୍ରେସ ଉପରେ । ପଂଚାୟତ ନିର୍ବାଚନରେ କଂଗ୍ରେସ ପ୍ରଦର୍ଶନ ଅତି ଶୋଚନୀୟ ଥିଲା । ଦକ୍ଷିଣ ଓଡ଼ିଶାର କୋରାପୁଟକୁ ଛାଡ଼ିଦେଲେ ବାକି କୌଣସି ଜିଲ୍ଲାରେ କଂଗ୍ରେସର ଫଳାଫଳ ଆଖିଦୃଶିଆ ନଥିଲା । ସବୁଠି ପରାଜୟ... ପରାଜୟ...ପରାଜୟ । ଦଳ ପାଇଁ ସମସ୍ୟା ହେଲା ପ୍ରଚାରରେ ହେଭିୱେଟ ନେତାଙ୍କ ଅଭାବ । ପିସିସି ସଭାପତି ନିରଞ୍ଜନ ଅସୁସ୍ଥ ରହିବାରୁ ପ୍ରଚାରରେ ଯୋଗ ଦେଇପାରିନଥିଲେ । ଏବେ ପୁନର୍ବାର ଅସୁସ୍ଥତା ଯୋଗୁ ପୌର ନିର୍ବାଚନରେ ବି ସେ ପ୍ରଚାର ମଇଦାନକୁ ଓହ୍ଲାଇବା ନେଇ ସନେ୍ଦହ ରହିଛି । ଦଳ ପାଇଁ ରାଜ୍ୟସ୍ତରୀୟ ନେତାଙ୍କ ଅଭାବ ଦେଖିବାକୁ ମିଳିଛି ପ୍ରଚାର ମଇଦାନରେ । ତଥାପି କଂଗ୍ରେସ ଆଶା ବାନ୍ଧିଛି, ଶେଷ ଦୁଇଦିନରେ ଜୋରଦାର ପ୍ରଚାର କରି ଭୋଟରଙ୍କ ମନ ଜିତିବା ପାଇଁ ।
ରାଜନୈତିକ ମହଲରେ ଆଲୋଚନା ହେଉଛି, ଶେଷ ଦୁଇଦିନରେ କ’ଣ ତିନି ଦଳର ହେଭିୱେଟ ନେତା ପ୍ରଚାରକୁ ଓହ୍ଲାଇବେ?




admin 