ନବୀନ କାହାକୁ ବାଛିବେ

ନବୀନ କାହାକୁ ବାଛିବେ

ନବୀନ କାହାକୁ ବାଛିବେ

ଭୁବନେଶ୍ବର: ରାଜ୍ୟସଭାର ୩ ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଧାନସଭାର ରିଟର୍ଣ୍ଣିଂ ଅଫିସ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏଥିପାଇଁ ଆଜିଠୁ ନାମାଙ୍କନ ଆରମ୍ଭ ହେବ । ଆସନ୍ତା ୩୧ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ବୋଲି ସୂଚନା ଦିଆଯାଇଛି। ତେବେ ଅଙ୍କ ଗଣତିରେ ୩ଟି ଯାକ ରାଜ୍ୟସଭା ଆସନ ବିଜେଡି ଖାତାକୁ ଯିବା ସ୍ପଷ୍ଟ।  ଦଳ ମଧ୍ୟରୁ କେଉଁ ନେତା ରାଜ୍ୟସଭା ଯିବେ ସେନେଇ ସ୍ପଷ୍ଟ ହୋଇନଥିବା ବେଳେ ବିଜେଡି ସୁପ୍ରିମୋ ଏହାକୁ ନେଇ ଦ୍ୱନ୍ଦ୍ୱ ଦୂର କରିବେ ।


ବର୍ତ୍ତମାନ ରାଜ୍ୟସଭା ଯିବାକୁ ନେଇ ବିଜେଡିରେ ମାଳମାଳ ଆଶୟୀ ହାତ ଟେକି ରହିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ସମସ୍ତଙ୍କ ନଜର ରହିଛି । କାହାକୁ ରାଜ୍ୟସଭା ଯିବାକୁ ଗ୍ରୀନ୍‌ ସିଗନାଲ ଦେବେ ନବୀନ ? କାହାକୁ ମିଳିବ ଦିଲ୍ଲୀ ଯିବାକୁ ଟିକେଟ୍‌ ?  ସେନେଇ ବିଜେଡି ଶିବିରରେ କଳ୍ପନାଜଳ୍ପନା ଜାରି ରହିଛି ।  ଆସନ୍ତା ଜୁଲାଇ ୧ ତାରିଖରେ ସାଂସଦ ପ୍ରସନ୍ନ ଆଚାର୍ୟ୍ୟ, ଏନଭାସ୍କର ରାଓ, ଡକ୍ଟର ସସ୍ମିତ ପାତ୍ରଙ୍କ କାର୍ୟ୍ୟକାଳ ସରୁଛି । ଏହି ୩ ଆସନ ପାଇଁ ଆସନ୍ତା ଜୁନ ୧୦ ତାରିଖରେ ଭୋଟ ହେବ ।


ଚର୍ଚ୍ଚାରେ ପ୍ରଦୀପ ମାଝୀ, ସସ୍ମିତ ପାତ୍ର ଶିଳ୍ପପତି ନବୀନ ଜିନ୍ଦଲ, ସୁସ୍ମିତା ବାଗଚୀଙ୍କ ନାଁ ସର୍ବାଗ୍ରେ ରହିଛି । କିନ୍ତୁ, ସବୁବେଳେ ସରପ୍ରାଇଜ କାର୍ଡ ଖେଳି ଚକମା ଦେବାରେ ମାହିର ନବୀନ କି ନିଷ୍ପତ୍ତି ନେବେ, କେହି ଠଉରାଇ ପାରୁନାହାନ୍ତି ।  ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ, ଠିକ ସମୟରେ ପ୍ରାର୍ଥୀ ଚୟନ ହେବା ସହ ନାମାଙ୍କନ ଭରିବେ ପ୍ରାର୍ଥୀ । ମୁଖ୍ୟମନ୍ତ୍ରୀ ଠିକ ସମୟରେ ନିଷ୍ପତ୍ତି ନେବେ । ସର୍ବୋଚ୍ଚ ନେତା ଭାବେ ତାଙ୍କ ନିକଟରେ ପ୍ରାର୍ଥୀ ଚୟନ କ୍ଷମତା ରହିଛି । ଚଳିତ ଥର ବି କିଛି ନେତାଙ୍କୁ ପରାମର୍ଶ କରି ନିଷ୍ପତ୍ତି ନେବେ ।