ଦିଲ୍ଲୀରେ କରୋନା ଭୟ, ମାସ୍କ ବାଧ୍ୟତାମୂଳକ

ଦିଲ୍ଲୀରେ କରୋନା ଭୟ, ମାସ୍କ ବାଧ୍ୟତାମୂଳକ

ଦିଲ୍ଲୀରେ କରୋନା ଭୟ, ମାସ୍କ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ପୁଣିଥରେ ସଂକ୍ରମଣ ବଢ଼ାଉଛି କରୋନା। ରାଜଧାନୀ ଦିଲ୍ଲୀରେ କରୋନାର ଦୈନିକ ସଂକ୍ରମଣ ରେକର୍ଡ କରିବାରେ ଲାଗିଛି।  ସଂକ୍ରମଣ ସ୍ଥିତିକୁ ଦେଖି ଦିଲ୍ଲୀ ସରକାର ପୁଣିଥରେ ସର୍ବସାଧାରଣ ସ୍ଥାନରେ ମାସ୍କକୁ ବାଧ୍ୟତାମୂଳକ କରିଛନ୍ତି। ମାସ୍କ  ନପନ୍ଧିଲେ ୫୦୦ ଟଙ୍କା ଲେଖାଏ ଜୋରିମାନା ଦେବାକୁ ପଡ଼ିବ।

ଫେବୃଆରୀ ୧୦ରେ ଶେଷଥର ପାଇଁ ଦିଲ୍ଲୀରେ ୧ ହଜାରରୁ ଅଧିକ ଦୈନିକ ସଂକ୍ରମଣ ରେକର୍ଡ କରାଯାଇଥିଲା। ଏହାପରେ ସଂକ୍ରମଣ ହ୍ରାସ ପାଇଥିଲା। ତେବେ ଆଜି ପୁଣି ଦୈନିକ ସଂକ୍ରମଣ ୧ ହଜାର ପାର କରିଛି। କେବଳ ସଂକ୍ରମଣ ବଢ଼ିନି , ବରଂ ପଜିଟିଭିଟି ରେଟ୍ ମଧ୍ୟ ୫.୭%ରେ ପହଞ୍ଚି ଯାଇଛି। ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ରାଜଧାନୀରେ କରୋନା ସଂକ୍ରମଣ ସଂପୂର୍ଣ୍ଣ ହ୍ରାସ ପାଇଥିଲା। ହେଲେ ଏପ୍ରିଲ ୧୧ରୁ ୧୮ ମଧ୍ୟରେ ସଂକ୍ରମଣ ୩ ଗୁଣା ବଢ଼ିଛି। ସଂକ୍ରମଣ ବଢ଼ୁଥିଲେ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହେବା ଲୋକଙ୍କ ସଂଖ୍ୟା ବହୁତ କମ। ମୋଟ ସକ୍ରିୟ ମାମଲାର ୩%ରୁ କମ ଆକ୍ରାନ୍ତ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତଥାପି ସଂକ୍ରମଣ ବଢ଼ୁଥିବାରୁ ସରକାର ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି। ଦିଲ୍ଲୀରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ଆଜି ୨୬୪୧ ରହିଛି। ଏହା ଫେବୃଆରୀ ୧୮ ପରେ ସର୍ବାଧିକ। ଫେବୃଆରୀ ୧୮ରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୭୭୫ ଥିଲା। ସେହିପରି ୨୪ ଘଣ୍ଟାରେ ୩୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ଦେଶରୁ ୨,୦୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୪୭,୫୯୪କୁ ବୃଦ୍ଧି ପାଇଛି। ମୋଟ ସଂକ୍ରମଣରୁ ଦିଲ୍ଲୀର ଭାଗ ୩୦%ରୁ ଅଧିକ।