ଟିକାକରଣରେ ଜାତୀୟ ହାରଠାରୁ ଓଡ଼ିଶା ଆଗରେ
ଟିକାକରଣରେ ଜାତୀୟ ହାରଠାରୁ ଓଡ଼ିଶା ଆଗରେ
ଭୁବନେଶ୍ବର: ଟିକା କରଣରେ ସାରା ଦେଶରେ ଉଦାହରଣ ସୃଷ୍ଟି କରିଛି ଓଡିଶା। ଜାତୀୟ ହାରଠୁ ଆଗରେ ରହିଛି ରାଜ୍ୟ। ରାଜ୍ୟରେ ଟିକା ନଷ୍ଟ ହେବା ହାର ରହିଛି ମାଇନସ ୫.୩ ପ୍ରତିଶତ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ କୋଭିଡ ଟିକାକରଣକୁ ନେଇ ବସିଥିବା ସମୀକ୍ଷା ବୈଠକରୁ ଏହି ସୂଚନା ମିଳିଛି । ସମୀକ୍ଷା ବୈଠକ ଅନୁସାରେ ୧୩ ନଭେମ୍ବର ସୁଦ୍ଧା ରାଜ୍ୟରେ ୪. ୩ କୋଟି ଲୋକଙ୍କୁ ଦିଆଯାଇଛି କୋଭିଡ ଟିକା । ୨ କୋଟି ୬୮ ଲକ୍ଷ ୪ ହଜାର ୭୫୫ ଲୋକଙ୍କୁ ପ୍ରଥମ ଡୋଜ ଦିଆଯାଇଛି । ସେହିପରି ୧ କୋଟି ୩୪ ଲକ୍ଷ ୯୬ ହଜାର ୫୯ ଲୋକ ଦ୍ବିତୀୟ ଡୋଜ ଟିକା ନେଇଛନ୍ତି । ଟିକାକରଣର ଜାତୀୟ ହାର ଅପେକ୍ଷା ରାଜ୍ୟ ହାର ଅଧିକ ରହିଛି ।
ପ୍ରଥମ ଡୋଜ ଟିକା କରଣରେ ଜାତୀୟ ହାର ୭୯. ୮ ପ୍ରତିଶତ ରହିଥିବା ବେଳେ ଓଡିଶାରେ ପ୍ରଥମ ଡୋଜ ଟିକାକରଣ ହାର ରହିଛି ୮୨. ୪ ପ୍ରତିଶତ । ଏହାବାଦ ଦ୍ବିତୀୟ ଡୋଜ ଟିକା କରଣରେ ଜାତୀୟ ହାର ୩୮. ୪ ପ୍ରତିଶତ ଥିବା ବେଳେ ଓଡିଶାରେ ୪୧. ୫ ପ୍ରତିଶତ ରହିଛି । ନଭେମ୍ବର ୩୦ ସୁଦ୍ଧା ୯୦ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ ଟିକା କରଣ ଲକ୍ଷ୍ୟ ରଖାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଛି ।ତେବେ ଏହି ପରିସଂଖ୍ୟାନକୁ ଡିସେମ୍ବର ସୁଦ୍ଧା ଶତ ପ୍ରତିଶତରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଅନ୍ୟପକ୍ଷରେ ଟିକାର ଅପଚୟ ରାଜ୍ୟରେ ବହୁତ କମ ହୋଇଥିବାରୁ ଏହାକୁ ପ୍ରଶଂସା କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ ।




admin 