ଛାତ୍ର ସଂସଦ ନିର୍ବାଚନ ଏଥର ବି ବନ୍ଦ

ଛାତ୍ର ସଂସଦ ନିର୍ବାଚନ ଏଥର ବି ବନ୍ଦ

ଛାତ୍ର ସଂସଦ ନିର୍ବାଚନ ଏଥର ବି ବନ୍ଦ

ଭୁବନେଶ୍ୱର : ଲଗାତାର ଦ୍ୱିତୀୟ ବର୍ଷ ପାଇଁ ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି। ପାଠପଢ଼ା ସ୍ୱାଭାବିକ ସ୍ଥିତିକୁ ଫେରିନାହିଁ । ସେମିଷ୍ଟର ପରୀକ୍ଷା ଅଫଲାଇନ ବଦଳରେ ଅନଲାଇନରେ କରାଯାଉଛି। ଏବେ ବି ଯୁକ୍ତ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢ଼ା ଆରମ୍ଭ ହୋଇନାହିଁ । ଏସବୁ ବିଷୟକୁ ଗୁରୁତ୍ୱ ଦେଇ ବିଶ୍ୱବିଦ୍ୟାଳୟ ଓ କଲେଜ କ୍ୟାମ୍ପସରେ ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ଏନେଇ ବିଧିବଦ୍ଧ କୌଣସି ବିଜ୍ଞପ୍ତି ପ୍ରକାଶ କରାଯାଇନାହିଁ । ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବର୍ତମାନ ପରିସ୍ଥିତିରେ ଛାତ୍ର ସଂସଦ ନିର୍ବାଚନ କଥା ଆମେ ଆଦୌ ଚିନ୍ତା କରିନାହୁଁ। କରୋନା ସଂକ୍ରମଣ ଯୋଗୁଁ ଦୁଇ ବର୍ଷ ହେଲା ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଛି। ଶିକ୍ଷାବର୍ଷ ଠିକ ଭାବେ ଚାଲି ପାରିନାହିଁ। ଏ ପର୍ୟ୍ୟନ୍ତ ଯୁକ୍ତ୩ ଓ ପିଜି ପାଠ୍ୟକ୍ରମର ପ୍ରଥମ ସେମିଷ୍ଟର ପରୀକ୍ଷା ବି ହୋଇପାରିନାହିଁ। କରୋନାକୁ ନଜରରେ ରଖି ଅଫଲାଇନ ବଦଳରେ ଅନଲାଇନରେ ସେମିଷ୍ଟର ପରୀକ୍ଷା କରାଇବାକୁ ବିଶ୍ୱବିଦ୍ୟାଳୟଗୁଡ଼ିକୁ କୁହାଯାଇଛି। ଏଭଳି ସମୟରେ ଛାତ୍ର ସଂସଦ ନିର୍ବାଚନ କରିବା ଆଦୌ ସମ୍ଭବପର ନୁହେଁ। ୨୦୨୨ରେ ବି ଛାତ୍ର ସଂସଦ ନିର୍ବାଚନ କରିବା ସପକ୍ଷରେ ଉଚ୍ଚଶିକ୍ଷା ବିଭାଗ ନାହିଁ। ଏହାକୁ ମିଶାଇ ଲଗାତାର ୪ର୍ଥ ବର୍ଷ ପାଇଁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇଛି । ୨୦୧୮ରେ ବାତ୍ୟା ‘ତିତିଲି’ ପାଇଁ ଅଧାରୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇଥିଲା । ନିର୍ବାଚନ ଯୋଗୁଁ କ୍ୟାମ୍ପସରେ ଅଶାନ୍ତି ସୃଷ୍ଟି ହେଉଥିବା ନେଇ ୨୦୧୯ରେ ବିଶ୍ୱବିଦ୍ୟାଳୟ କୁଳପତି, ସରକାରୀ ଡିଗ୍ରି କଲେଜ, ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଅଧ୍ୟକ୍ଷମାନେ ମତ ପ୍ରକାଶ କରିବା ପରେ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ସ୍ଥିର ହୋଇଥିଲା । ୨୦୨୦ ତଥା ଗତବର୍ଷ କରୋନା ଯୋଗୁଁ କ୍ୟାମ୍ପସ ହିଁ ଆଦୌ ଖୋଲିପାରି ନ ଥିଲା । ଆଉ ଏଥର ମଧ୍ୟ ସମାନ ସ୍ଥିତି ଲାଗି ରହିଥିବାରୁ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ନିଷ୍ପତ୍ତି ହୋଇଛି ।