ଗାନ୍ଧୀ ଜୟନ୍ତୀରୁ ‘ମୋ ସରକାର’ କାର୍ଯ୍ୟକ୍ରମ
ଗାନ୍ଧୀ ଜୟନ୍ତୀରୁ ‘ମୋ ସରକାର’ କାର୍ଯ୍ୟକ୍ରମ
admin
Aug 15, 2019 - 05:34
Updated: Aug 15, 2019 - 05:34
ସ୍ୱାଧୀନତା ଦିବସ ଅବସରରେ ଆପଣମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି । ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଧାର ପଟେଲ, ଡକ୍ଟର ବିଆର ଆମ୍ବେଦକର, ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଉକôଳମଣି ଗୋପବନ୍ଧୁ ଦାସ, ଉକôଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ସହିଦ ଲକ୍ଷ୍ମଣ ନାଏକ, ବୀର ସୁରେନ୍ଦ୍ର ସାଏ, ମା’ ରମାଦେବୀ, ମାଳତୀ ଚୌଧୁରୀ, ଡକ୍ଟର ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ ସଂଗ୍ରାମୀମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ସହିଦ ହୋଇଥିବା ଆମର ଜବାନମାନଙ୍କ ପ୍ରତି ମଧ୍ୟ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ଚଳିତ ବର୍ଷ ସାରା ବିଶ୍ୱ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ଶତବାର୍ଷିକୀ ପାଳନ କରୁଛି । ଗାନ୍ଧିଜୀଙ୍କ ବିଚାର ଓ ଆଦର୍ଶର ପ୍ରାସଙ୍ଗିକତା ଆଜି ଆମେ ଅଧିକ ଅନୁଭବ କରୁଛୁ । ଅହିଂସାକୁ ଆମ ସମ୍ବିଧାନର ମୁଖବନ୍ଧରେ ରଖିବା ପାଇଁ ମୁଁ ଦାବି କରିଆସୁଛି । ମୁଁ ପୁନର୍ବାର ଏହି ଦାବି କରୁଛି । ଏହା ସାରା ବିଶ୍ୱରେ ଆମ ଗଣତନ୍ତ୍ରର ଗୌରବକୁ ଆହୁରି ବୃଦ୍ଧି କରିବ ।
ସାଧାରଣ ଲୋକ ଆମର ସବୁ କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ । ସାଧାରଣ ଲୋକଙ୍କୁ ତାର ହକ ଦେବା ପାଇଁ ଆମେ ୫ଟି ମନ୍ତ୍ର କାର୍ଯ୍ୟକାରୀ କରୁଛୁ । ଏହି ୫ଟି ମନ୍ତ୍ର ପ୍ରଶାସନକୁ ଅଧିକ ଉତରଦାୟୀ କରିବାରେ ସଫଳ ହେବ । ଲୋକଙ୍କ ସେବା ପାଇଁ ହିଁ ସରକାର । ଲୋକଙ୍କ ପାଇଁ ସରକାର ଚାଲିଛି । ଲୋକଙ୍କ ଟଙ୍କାରେ ସରକାର ଚାଲିଛି । ଗଣତନ୍ତ୍ରରେ ଲୋକ ହିଁ ଶ୍ରେଷ୍ଠ । ତେଣୁ ଆମ ପାଇଁ ଆପଣଙ୍କ ମତାମତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ୫ ‘ଟି’କୁ ଭିତିକରି ଆମେ ଆରମ୍ଭ କରୁଛୁ ‘ମୋ ସରକାର’ କାର୍ଯ୍ୟକ୍ରମ । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଏହା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଏହା ସବୁ ଥାନା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟକାରୀ ହେବ । ପରବର୍ତୀ ପର୍ଯ୍ୟାୟରେ ୨୦୨୦ ମାର୍ଚ୍ଚ ୫ ସୁଦ୍ଧା ସବୁ ବିଭାଗ ଏହାକୁ କାର୍ଯ୍ୟକାରୀ କରିବ । ମୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀ । ନିଜେ ଆପଣଙ୍କୁ ଫୋନ କରିବି । ଥାନା ଓ ହସପିଟାଲରେ ଆପଣ କିପରି ସୁବିଧା ପାଇଲେ ସେ କଥା ବୁଝିବି । ଥାନାରେ ଆପଣଙ୍କ ଅଭିଯୋଗକୁ କିପରି ଗୁରୁତ୍ୱ ଦିଆଗଲା ସେ କଥା ବୁଝିବି । ହସପିଟାଲରେ ଆପଣ କିପରି ସେବା ପାଇଲେ ସେ କଥା ପଚାରି ବୁଝିବି । ସରକାରୀ ଅଫିସରେ ଆପଣଙ୍କ ଅନୁଭବ ବିଷୟରେ ପଚାରି ବୁଝିବି । ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ମନ୍ତ୍ରୀମାନେ ମଧ୍ୟ ଆପଣଙ୍କୁ ଫୋନ କରିବେ । ସରକାରୀ ଅଫିସରେ ଆପଣଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିବେ । ରାଜ୍ୟ ଓ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ମଧ୍ୟ ସରକାରୀ ଅଫିସରେ ମିଳୁଥିବା ସେବା ବିଷୟରେ ଆପଣଙ୍କ ଠାରୁ ପଚାରି ବୁଝିବେ । ଆପଣ ଜାଣନ୍ତି ଓଡ଼ିଶାର ସବୁ ଗାଁରେ ବିଜୁଳି ପହଁଚିଛି । କିନ୍ତୁ ଯଦି କାହା ଘରକୁ ବିଜୁଳି ସଂଯୋଗ ଯାଇନାହିଁ ତେବେ ସେମାନେ ଏଥିପାଇଁ ପଂଚାୟତକୁ ଦରଖାସ୍ତ କରନ୍ତୁ । ୪୮ ଘଂଟା ମଧ୍ୟରେ ବିଜୁଳି ସଂଯୋଗ ଦିଆଯିବ । ମୋର ବିଶ୍ୱାସ, ଆମର ଏହିସବୁ କାର୍ଯ୍ୟକ୍ରମ ସରକାର ଓ ଲୋକଙ୍କ ସମ୍ପର୍କକୁ ଆହୁରି ମଜବୁତ କରିବ । ସାଧାରଣ ଲୋକ ଜୀବନରେ ବହୁତ ବଡ଼ ପରିବର୍ତନ ଆଣିବ । ଆସନ୍ତୁ, ଲୋକଙ୍କ ପାଇଁ, ଲୋକଙ୍କ କଲ୍ୟାଣ ପାଇଁ ଓ ଏକ ନୂଆ ଓଡ଼ିଶା ପାଇଁ ସମସ୍ତେ ମିଳିମିଶି କାମ କରି ଚାଲିବା ।