ଗାଁରେ କୋଭିଡ ଅନେକ ପରିବାରକୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରିଦେବା ଖବର ଆଲୋଡ଼ନ ଆଣିଦେଇଛି
ଗାଁରେ କୋଭିଡ ଅନେକ ପରିବାରକୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରିଦେବା ଖବର ଆଲୋଡ଼ନ ଆଣିଦେଇଛି
admin
May 19, 2021 - 06:41
Updated: May 19, 2021 - 06:41
ଗ୍ରାମାଞ୍ଚଳରେ କୋଭିଡ ନିଶ୍ଚିହ୍ନ କରିଦେଉଛି ସମଗ୍ର ପରିବାର
ନୂଆଦିଲ୍ଲୀ: ବିଶ୍ୱର ଦ୍ୱିତୀୟ ଜନବହୁଳ ରାଷ୍ଟ୍ର ଭାରତର ବଡ଼ ବଡ଼ ସହରରେ ଆତଙ୍କର କାରଣ ପାଲଟିଥିବା ମହାମାରୀ କୋଭିଡ-୧୯ ଏବେ ଗ୍ରାମାÿଞ୍ଚଳରେ ଅନୁରୂପ ପ୍ରାଦୁର୍ଭାବ ଜାରି ରଖିଛି । ଅଧିକାଂଶ ଗାଁରେ ଏହାର ମୁକାବିଲା ପାଇଁ ସମ୍ବଳ କି ସୁଯୋଗ ନଥିଲା ବେଳେ କୋଭିଡ ଅନେକ ପରିବାରକୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରିଦେବା ଖବର ଆଲୋଡ଼ନ ଆଣିଦେଇଛି । ରାଜଧାନୀ ଦିଲ୍ଲୀ ଠାରୁ ଦେଢ଼ ଘଣ୍ଟାର ବାଟ ବାସି ଗାଁର ମୋଟ ୫,୪୦୦ ଲୋକସଂଖ୍ୟାର ପ୍ରାୟ ତିନି ତୃତୀୟାଂଶ ଏବେ କୋଭିଡରେ ଆକ୍ରାନ୍ତ ଥିବା ବେଳେ ଗତ ୩ ସପ୍ତାହ ଭିତରେ ଗାଁର ୩୦ ଜଣଙ୍କର ଜୀବନ ଗଲାଣି । ସେଠାରେ ସାମାନ୍ୟତମ ସ୍ୱାସ୍ଥ୍ୟସେବା ସୁବିଧା ନାହିଁ କି ଡାକ୍ତର କି ଅମ୍ଳଜାନ ସିଲିଣ୍ଡର ଉପଲବଧ ନାହିଁ । ଅପରପକ୍ଷେ, ଦେଶର ଅନ୍ୟାନ୍ୟ ସହର କି ଉନ୍ନତ ଗାଁରେ ଯେପରି ସେବା କରିବା ପାଇଁ ଅପେକ୍ଷା କରିଥିବା କିଛି ଅପରିଚିତ ସ୍ୱେଚ୍ଛାସେବୀଙ୍କ ପାଖରେ ସାମାଜିକ ଗଣମାଧ୍ୟମ ଜରିଆରେ ନିଜର ଦୟନୀୟତା ସମ୍ପର୍କରେ ଅବଗତ କରାଇବାର ସମ୍ଭାବନା ମଧ୍ୟ ବାସି ଗ୍ରାମବାସୀଙ୍କର ନାହିଁ । ଗ୍ରାମର ଅଧିକାଂଶ ମୃତକ ଅମ୍ଳଜାନ ଅଭାବରୁ ହିଁ ଆରପାରିକୁ ଯାଇଛନ୍ତି । ଏହା କେବଳ ବାସି ଗାଁର କଥା ନୁହେଁ, ଦେଶର ବିଭିନ୍ନ ଇଲାକାରେ ଅନୁରୂପ ସ୍ଥିତି ଜାରି ରହିଥିବା ଜଣାଯାଇଛି । ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ ସହରାଞ୍ଚଳରେ ସ୍ଥିତି ସାଂଘାତିକ ହେଲାଣି । କେଉଁଠି ସାରା ପରିବାର ଜନଶୂନ୍ୟ ହୋଇଯାଇଛି ତ କେଉଁଠି ଗଙ୍ଗା ଜଳସ୍ରୋତରେ ସହ ଶହ ଫୁଲିଲା ଶବ ଭାସୁଛନ୍ତି ତ କେଉଁଠି କର୍ମଜୀବୀଙ୍କ ଅଭାବରେ ଚାଷକ୍ଷେତ ଉପେକ୍ଷିତ ହୋଇ ପଡ଼ିରହିଛି । କୋଭିଡ ତାଣ୍ଡବର ଏ ବିକଳ ଚିତ୍ର ସରକାରୀ ନଥିର ଅପହଞ୍ଚ ହୋଇ ରହିଛି । କାରଣ ଲୋକଲୋଚନକୁ ଘୋଷଣା କରାଯାଉଥିବା ମୃତୁ୍ୟସଂଖ୍ୟା ବାସ୍ତବ ଠାରୁ ଯଥେଷ୍ଟ ପଛରେ ରହିଛି । ଗାଁରେ କାହାକୁ ଜ୍ୱର ହେଲେ କି ଦେହ ପୀଡ଼ା ହେଲେ ଲୋକେ ଭୟରେ ଘର ଛାଡ଼ି ଯିବାକୁ ଅମଙ୍ଗ । ସଚେତନତା ଅଭାବରୁ କେଉଁଠି ସାରା ପରିବାରକୁ କୋଭିଡ୍ ଗିଳି ଚାଲିଛି । ଅପରପକ୍ଷେ, ଅତିଶୟ ଆକ୍ରାନ୍ତ ହୋଇ କେହି ଆଖି ବୁଜିଲେ ତାଙ୍କର କୋଭିଡରେ ନା ଆଉ କେଉଁଥିରେ ମୃତୁ୍ୟ ହେଲା, ତାହା ଜାଣିବା ମଧ୍ୟ ସମ୍ଭବ ହେଉନି, କାରଣ ମୃତକର ନମୁନା ପରୀକ୍ଷା କରିବା ଦରକାର ନାହିଁ ବୋଲି ଅନେକ କ୍ଷେତ୍ରରେ ଡାକ୍ତର କହିଦେଉଛନ୍ତି । ଏଭଳି ସ୍ଥିତିରେ କୋଭିଡ ମୃତୁ୍ୟ ବଢ଼ି ଚାଲିଥିବାରୁ ଚାରିଆଡେ଼ ଭୟ ଓ ଆତଙ୍କର ବାତାବରଣ ଦେଖିବାକୁ ମିଳିଛି ।