ଅପରାଜିତାଙ୍କ ସଭାକୁ ଗଲେ ବୋଲି ପଦ ଗଲା
ଅପରାଜିତାଙ୍କ ସଭାକୁ ଗଲେ ବୋଲି ପଦ ଗଲା
ଭୁବନେଶ୍ୱର : ଯାହା ଆଶଙ୍କା କରାଯାଉଥିଲା ସେଇଆ ହିଁ ହେଲା । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସଭାକୁ ଯିବା ଦୁଇ ନେତାଙ୍କ ପାଇଁ ମହଙ୍ଗା ପଡ଼ିଛି । ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ବିଜେପି ରାୟଗଡ଼ା ଜିଲ୍ଲା କମିଟିର ଦୁଇ ସଭାପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯଇଛି । ରାୟଗଡ଼ା ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଦେବାଶିଷ ପଣ୍ଡା ଓ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରେମ ପ୍ରସାଦ ପଣ୍ଡାଙ୍କୁ ସଭାପତି ପଦରୁ ହଟାଇ ଦିଆଯାଇଛି । ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ ଏସମ୍ପର୍କରେ ସୂଚନା ଦେଇଛନ୍ତି । ଯଦିଓ ଅପରାଜିତାଙ୍କୁ ସମର୍ଥନ କରିବାରୁ ପଦ ଗଲା ବୋଲି କୁହାଯାଇନାହିଁ ତଥାପିବି, ଏହା ହିଁ ଏକମାତ୍ର କାରଣ ବୋଲି ରାୟଗଡ଼ା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ।
ନିକଟରେ ଅପରାଜିତା ରାୟଗଡ଼ା ଯାଇଥିଲେ । ଉଭୟ ନେତା ଅପରାଜିତାଙ୍କୁ ସମର୍ଥନ କରିଥିଲେ । ତେବେ ଅପରାଜିତାଙ୍କ ସଭାକୁ ନଯିବା ପାଇଁ ପୂର୍ବରୁ ଜିଲ୍ଲା ସଭାପତି ହ୍ୱିପ ଜାରି କରିଥିଲେ । କିନ୍ତୁ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଅପରାଜିତାଙ୍କ ପାଇଁ ବାଇକ ରାଲିର ଆୟୋଜନ କରାଯାଇଥିବାବେଳେ ଯୁବମୋର୍ଚ୍ଚା ସେମାନଙ୍କୁ ସହଯୋଗ କରିଥିଲା । ନିଜେ ଯୁବମୋର୍ଚ୍ଚା ସଭାପତି କାର୍ଯ୍ୟକ୍ରମକୁ ଯାଇନଥିଲେବି ତାଙ୍କର ସମର୍ଥକମାନେ ଯାଇଥିବା ଜଣାପଡ଼ିଛି । ସେହିପରି ଗୁଣୁପୁରରେ ଅପରାଜିତାଙ୍କ କାର୍ଯ୍ୟକ୍ରମକୁ କୃଷକ ମୋର୍ଚ୍ଚା ସଭାପତି ସଫଳ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଅପରାଜିତାଙ୍କୁ ସମର୍ଥନ କରିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଥିବା କୁହାଯାଉଥିବାବେଳେ ବିଜେପି ରାଜନୀତି ସରଗରମ ହୋଇଯାଇଛି ।




admin 