ସେଲୁନରେ ଖୋଲିଲେ ଲାଇବ୍ରେରୀ

ସେଲୁନରେ ଖୋଲିଲେ ଲାଇବ୍ରେରୀ

ସେଲୁନରେ ଖୋଲିଲେ ଲାଇବ୍ରେରୀ
ତାମିଲନାଡ଼ୁର ଜଣେ ନାପିତଙ୍କ ପୁସ୍ତକପ୍ରେମ ଚର୍ଚ୍ଚାରେ । ନିଜ ସେଲୁନରେ ସେ ଏକ ଲାଇବ୍ରେରୀ ଖୋଲିଛନ୍ତି । ସୋସିଆଲ ମିଡିଆ ଓ ଡିଜିଟାଲ ଯୁଗରେ ଯୁବପିଢ଼ିଙ୍କୁ ପୁସ୍ତକ ପଠନ ପ୍ରତି ଉତ୍ସାହିତ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ । ଉଲ୍ଲେଖନୀୟ କଥା ହେଉଛି, ବହି ପଢ଼ୁଥିବା ଗ୍ରାହକମାନଙ୍କୁ ସେ ନିର୍ଦ୍ଧାରିତ କେଶଚର୍ଯ୍ୟା ପାଉଣାରେ ତିରିଶ ପ୍ରତିଶତ ରିହାତି ଦେଉଛନ୍ତି । ଅଠତିରିଶ ବର୍ଷ ବୟସ୍କ ଏହି ନାପିତଙ୍କ ନାଁ ପି.ପୋନମରିୟାସ୍ପନ । ତୁତିକୋରିନ ଜିଲ୍ଲାରେ ତାଙ୍କ ସେଲୁନ ରହିଛି । ଅର୍ଥ ଅଭାବରୁ ପୋନମରିୟାସ୍ପନ ଅଷ୍ଟମ ଶ୍ରେଣୀରୁ ଅଧିକ ପଢ଼ିପାରି ନଥିଲେ । ପେଟ ପୋଷିବା ପାଇଁ ସେଲୁନଟିଏ ଖୋଲିଲେ । ବହି ପଢ଼ିବା ତାଙ୍କର ସଉକ ଥିଲା । ଏଥିପାଇଁ ସେ କିଛି ଭଲ ବହି କିଣିଲେ ଏବଂ ଗ୍ରାହକ ନ ଥିବା ବେଳେ ସେଗୁଡ଼ିକୁ ପଢ଼ିଲେ । କ୍ରମେ ତାଙ୍କ ଭିତରେ ପଢ଼ିବାର ଝୁଙ୍କ ବଢ଼ିଥିଲା । ପରେ ଅଧିକ ବହି କିଣିଲେ ଏବଂ କିଛି ଉପାଦେୟ ପୁସ୍ତକ ସଂଗ୍ରହ କରିଥିଲେ । ଛଅ ବର୍ଷ ପୂର୍ବରୁ ତାଙ୍କ ଲାଇବ୍ରେରୀରେ ୨୫୦ ଖଣ୍ଡ ବହି ଥିଲା । ଏବେ ୮୫୦ ଟପିଲାଣି । ପୋନମରିୟାସ୍ପନଙ୍କ ସେଲୁନ ଲାଇବ୍ରେରୀରେ କେବଳ ତାମିଲ ଓ ଇଂରାଜୀ ଭାଷାର ବହି ଉପଲବ୍ଧ ଏବଂ ଏଗୁଡ଼ିକ ମୁଖ୍ୟତଃ ସ୍କୁଲ ଓ କଲେଜ ଛାତ୍ରଙ୍କ ପାଇଁ ଉଦ୍ଧିଷ୍ଟ ।