ସଂସଦର ଉଭୟ ଗୃହ ମୁଲତବୀ
ସଂସଦର ଉଭୟ ଗୃହ ମୁଲତବୀ
ନୂଆଦିଲ୍ଲୀ: ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ମୁଲତବୀ ହୋଇଛି ସଂସଦର ଉଭୟ ଗୃହ । ରାଜ୍ୟସଭା ଓ ଲୋକସଭାର ଗୃହକାର୍ୟ୍ୟ ପ୍ରକ୍ରିୟା ଆଜି ପ୍ରାୟ ଏକ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଛି । ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ଗିରଫଦାରୀ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ବିରୋଧୀ ସାଂସଦଙ୍କ ହଟ୍ଟଗୋଳ ଯୋଗୁ ରାଜ୍ୟସଭାର ପ୍ରୋସିଡିଂ ସ୍ଥଗିତ ରଖିଛି ।
ରାଉତଙ୍କ ଗିରଫଦାରୀକୁ ବିରୋଧ କରି ଶିବସେନା ସାଂସଦମାନେ ସେମାନଙ୍କ ଆସନରେ ଛିଡା ହୋଇ ପ୍ରତିବାଦ କରିବା ସହ ସରକାର ବିରୋଧୀ ନାରା ଦେଇଥିବା ଦେଖିବାକୁ ମିଳିଥିଲା । ଫଳରେ ଉଚ୍ଚ ସଦନକୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମୁଲତବୀ ଘୋଷଣା କରିଥିଲେ । ଅନ୍ୟପଟେ ନିମ୍ନ ସଦନ ଲୋକସଭାେରେ ମଧ୍ୟ ଅନୁରୂପ ଭାବେ ଅଚଳାବସ୍ଥା ଦେଖିବାକୁ ମିଳିଛି ।ବିରୋଧୀ ଦଳର ଚାରିଜଣ କଂଗ୍ରେସ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ବିରୋଧୀ କଂଗ୍ରେସ ସମେତ ଅନ୍ୟ କିଛି ବିରୋଧୀ ଦଳର ସାଂସଦ ମଧ୍ୟ ନାରାବାଜୀ କରିବା ସହ ହଟ୍ଟଗୋଳ କରିଥିଲେ । ଫଳରେ ଗୃହକାର୍ୟ୍ୟ ସ୍ବାଭାବିକ ହୋଇ ପାରିନାହିଁ । ବିରୋଧ ପରେ ଲୋକସଭାକୁ ସ୍ଥଗିତ ରଖାଯାଇଥିଲା ।