ଯୌତୁକଜନିତ ହତ୍ୟାକାଣ୍ଡରେ ଦ୍ୱିତୀୟ ଓଡ଼ିଶା
ଯୌତୁକଜନିତ ହତ୍ୟାକାଣ୍ଡରେ ଦ୍ୱିତୀୟ ଓଡ଼ିଶା
admin
Jan 10, 2020 - 00:13
Updated: Jan 10, 2020 - 00:13
ଭୁବନେଶ୍ୱର - ରାଜ୍ୟରେ ହତ୍ୟାକାଣ୍ଡ ଅପରାଧ ଦିନକୁ ଦିନ ବଢ଼ିବାରେ ଲାଗିଛି। କୌଣସି ବିବାଦ ଏବଂ ଯୌତୁକଜନିତ କାରଣକୁ ନେଇ ଅଧିକାଂଶ ହତ୍ୟାକାଣ୍ଡ ଘଟୁଥିବା ଦେଖିବାକୁ ମିଳୁଛି। ତେବେ ନିକଟରେ ପ୍ରକାଶ ପାଇଥିବା ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ତଥ୍ୟ ଅନୁସାରେ, ୨୦୧୮ ମସିହାରେ ଓଡ଼ିଶାରେ ୧୩୭୮ଜଣଙ୍କୁ ହତ୍ୟା କରାଯାଇଛି। ସେହିପରି ରାଜ୍ୟରେ୨୦୧୭ରେ ୧୨୬୭ ଏବଂ ୨୦୧୬ରେ ୧୩୨୮ ଟି ହତ୍ୟାକାଣ୍ଡ ଘଟିଥିଲା। ତେବେ ବିଗତ ବର୍ଷକୁ ତୁଳନା କଲେ ୨୦୧୮ ମସିହାରେ ରାଜ୍ୟରେ ହତ୍ୟାକାଣ୍ଡ ସଂଖ୍ୟା ବୃଦ୍ଧି ହୋଇଛି। ବିଭିନ୍ନ ଉଦ୍ଦେଶ୍ୟକୁ ନେଇ ହତ୍ୟାକାରୀ ହତ୍ୟାକାଣ୍ଡ ଘଟାଇଥାଏ। ତେବେ ରାଜ୍ୟରେ ଯୌତୁକଜନିତ ହତ୍ୟାକାଣ୍ଡର ସଂଖ୍ୟା ସର୍ବାଧିକ ଅଛି। ଯୌତୁକଜନିତ ହତ୍ୟାକାଣ୍ଡରେ ସମଗ୍ର ଦେଶରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ୨୦୧୮ରେ ରାଜ୍ୟରେ ୧୧୯ଟି ଯୌତୁକଜନିତ ହତ୍ୟାକାଣ୍ଡ ଘଟିଛି। ସେହିପରି ଦେଶରେ ଯୌତୁକଜନିତ ହତ୍ୟାକାଣ୍ଡରେ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ପ୍ରଥମରେ ରହିଥିବାବେଳେ, ତୃତୀୟରେ ଝାଡ଼ଖଣ୍ଡ ରହିଛି। ୨୦୧୮ରେ ପଶ୍ଚିମବଙ୍ଗରେ ୩୫୬ ଏବଂ ଝାଡ଼ଖଣ୍ଡରେ ୬୧ଟି ଯୌତୁକଜନିତ ହତ୍ୟାକାଣ୍ଡ ଘଟିଥିଲା। ତେବେ ୨୦୧୮ରେ ସମଗ୍ର ଦେଶରେ ୯୧୩ଟି ଯୌତୁକଜନିତ ହତ୍ୟାକାଣ୍ଡ ଘଟିଛି। ସେହିପରି ୨୦୧୮ମସିହାରେ ବିଭିନ୍ନ ପ୍ରକାର ବିବାଦକୁ ନେଇ ରାଜ୍ୟରେ ୫୫ଟି ହତ୍ୟାକାଣ୍ଡ ଘଟିଛି। ଏଥିମଧ୍ୟରୁ ଜମିଜମା ବିବାଦ କ୍ଷେତ୍ରରେ ୩୩ଜଣଙ୍କ ହତ୍ୟା ହୋଇଥିବାବେଳେ, ପାରିବାରିକ କଳହକୁ ନେଇ ୧୬ଜଣ ଏବଂ ସାମାନ୍ୟ ଝଗଡ଼ାକୁ ନେଇ ୬ଜଣଙ୍କ ହତ୍ୟା ହୋଇଥିଲା। ଅନ୍ୟପକ୍ଷରେ ୨୦୧୮ରେ ପ୍ରେମସମ୍ପର୍କକୁ ନେଇ ୩୮ ଏବଂ ପୂର୍ବଶତ୍ରୁତାକୁ ନେଇ ୫୪ଜଣଙ୍କ ହତ୍ୟାକାଣ୍ଡ ଘଟିଛି। ତଥ୍ୟ ଅନୁସାରେ, ୨୦୧୮ରେ ୨ଟି ୬ବର୍ଷର ଶିଶୁଙ୍କ ହତ୍ୟା ହୋଇଛି। ସେହିପରି ୬ରୁ ୧୨ବର୍ଷ ବୟସର ୪ଟି ଶିଶୁ, ୧୨ରୁ ୧୬ବର୍ଷର ୩ଜଣ, ୧୬ରୁ ୧୮ବର୍ଷର ୧୧ଜଣ, ୧୮ରୁ ୩୦ବର୍ଷର ୮୬୯ଜଣ, ୩୦ରୁ ୪୫ବର୍ଷର ୩୮୯ଜଣ, ୪୫ରୁ ୬୦ବର୍ଷର ୧୧୭ ଜଣ, ୬୦ବର୍ଷରୁ ଅଧିକ ୯ଜଣଙ୍କ ହତ୍ୟା ହୋଇଛି।
ପ୍ରେମ ବ୍ୟାପାରକୁ ନେଇ ବର୍ଷକରେ ଗଡ଼ିଛି ୧୮ ମୁଣ୍ଡ
ରିପୋର୍ଟ ଅନୁସାରେ, ୨୦୧୮ରେ ଓଡ଼ିଶାରେ ଅପରାଧର ମାତ୍ରା ପୁଣି ବଢ଼ିଛି। ହେଲେ ଦୁଷ୍କର୍ମ ଅହେତୁକ ଭାବେ ହ୍ରାସ ପାଇଛି। ଯାହା ପୁଲିସ ପାଇଁ ଆଶ୍ୱସ୍ଥି ଆଣିଦେଇଛି। ରାଜ୍ୟରେ ୨୦୧୮ରେ ମୋଟ ୧ଲକ୍ଷ ୭ ହଜାର ୪୦୮ଟି ଅପରାଧିକ ମାମଲା ରୁଜୁ କରାଯାଇଛି। ୨୦୧୭ରେ ୧ଲକ୍ଷ ୩ହଜାର ୮୬୬ଟି ଅପରାଧିକ ମାମଲା ରୁଜୁ କରାଯାଇଥିଲା। ସେହିପରି ୨୦୧୬ରେ ୧ଲକ୍ଷ ୩ହଜାର ୫୬୫, ୨୦୧୫ରେ ୧ଲକ୍ଷ ୩ହଜାର ୨୦୮ଟି ମାମଲା ରୁଜୁ କରାଯାଇଥିଲା।