ମାଗଣା ୱାଇଫାଇ ପାଇଁ ଝିଅର ନାଁ ‘ଟ୍ୱିଫିଆ’

ମାଗଣା ୱାଇଫାଇ ପାଇଁ ଝିଅର ନାଁ ‘ଟ୍ୱିଫିଆ’

ମାଗଣା ୱାଇଫାଇ ପାଇଁ ଝିଅର ନାଁ ‘ଟ୍ୱିଫିଆ’
ସ୍ୱିଜରଲ୍ୟାଣ୍ଡର ଏକ ଦମ୍ପତି ଏବେ ଚର୍ଚ୍ଚାରେ । ମାଗଣା ୱାଇଫାଇ ପାଇବାକୁ ସେମାନେ ସେମାନଙ୍କ ନବଜାତ କନ୍ୟାର ନାମ ଏକ ଇଣ୍ଟରନେଟ ସେବା ପ୍ରଦାନକାରୀ କମ୍ପାନୀ ଅନୁସାରେ ନାମିତ କରିଛନ୍ତି । ନିକଟରେ ସେମାନେ ଫେସବୁକରେ ଏକ ସ୍ୱିସ ଷ୍ଟାର୍ଟଅପ କମ୍ପାନୀ ‘ଟ୍ୱିଫି’ର ବିଜ୍ଞାପନ ଦେଖିଥିଲେ । ସେଥିରେ ଲେଖାଯାଇଥିଲା ଯେ ସେହି କମ୍ପାନୀର ନାମାନୁସାରେ ଯଦି କେହି ଦମ୍ପତି ନିଜ ପିଲାର ନାମ ରଖନ୍ତି ତା ହେଲେ ସେମାନଙ୍କୁ ମାଗଣାରେ ୧୮ ବର୍ଷ ଧରି ୱାଇଫାଇ ସେବା ଯୋଗାଇ ଦିଆଯିବ । ଝିଅ ହୋଇଥିଲେ ତାଙ୍କ ନାମ ଟ୍ୱିଫିଆ ରହିବ । ପୁଅ ହୋଇଥିଲେ ନାଁକୁ ଟ୍ୱିଫିୟସ ରଖିବାକୁ ପଡ଼ିବ । ଏହି ଅଫରର ଲାଭ ପାଇବାକୁ ହେଲେ ପିଲାର ବାର୍ଥ ସାର୍ଟିଫିକେଟ ଅପଲୋଡ଼ କରିବାକୁ ହେବ । ଯାଞ୍ଚ କରିବା ପରେ ଏହି ସୁବିଧା ମିଳିବ ବୋଲି ବିଜ୍ଞାପନରେ ଉଲ୍ଲେଖ ଥିଲା । ଟ୍ୱିଫିଆର ବାପା ଏ ସମ୍ପର୍କରେ ଜାଣିବା ପରେ ପତ୍ନୀଙ୍କୁ କହିଥିଲେ । ପତ୍ନୀ ପ୍ରଥମେ ଏହି ସର୍ତ୍ତରେ ରାଜି ହୋଇନଥିଲେ ବି ପରେ ସମ୍ମତି ପ୍ରଦାନ କରିଥିଲେ । ଏହା ପରେ ସେମାନେ ଉତ୍ସାହିତ ହୋଇ ଏହି ଅଫରକୁ ଗ୍ରହଣ କରିବା ସହ ଝିଅର ନାମ ‘ଟ୍ୱିଫିଆ’ ରଖିଥିଲେ । ଏ ସମ୍ପର୍କରେ ଟ୍ୱିଫିଆର ବାପା କହିଛନ୍ତି, ସ୍ୱିସ କମ୍ପାନୀରୁ ୱାଇଫାଇ ବାବଦରେ ମିଳିବାକୁ ଥିବା ଅର୍ଥକୁ ଆମେ ଝିଅର ଏକାଉଣ୍ଟରେ ଜମା କରିବୁ । ଭବିଷ୍ୟତରେ ସେ ସେହି ଅର୍ଥରେ ଏକ କାର କିଣିପାରିବ କିମ୍ବା ଅନ୍ୟ କାମ ପାଇଁ ବ୍ୟବହାର କରିପାରିବ । ଅନ୍ୟପଟେ ଟ୍ୱିଫିର ସିଇଓ ଫିଲିପ ଫୋସଚ କହିଛନ୍ତି ଯେ, ଯେକୌଣସି ପରିସ୍ଥିତିରେ ବି ଏହି ଦମ୍ପତିଙ୍କ ଇଣ୍ଟରନେଟ ଖର୍ଚ୍ଚ ଦିଆଯିବ । ଆମ କମ୍ପାନୀର ବ୍ୟବସାୟ ବନ୍ଦ ହୋଇଗଲେ ବି ଇଣ୍ଟରନେଟ ଖର୍ଚ୍ଚ ବାବଦରେ ଟଙ୍କା ସେମାନଙ୍କୁ ପ୍ରଦାନ କରାଯିବ । ଏହା ଏକ ସମ୍ମାନର କଥା ।