ପୁନିତଙ୍କ ପାଇଁ ଜନସମୁଦ୍ର

ପୁନିତଙ୍କ ପାଇଁ ଜନସମୁଦ୍ର

ପୁନିତଙ୍କ ପାଇଁ ଜନସମୁଦ୍ର

ବେଙ୍ଗାଲୁରୁ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତା ପୁନିତ ରାଜକୁମାରଙ୍କ ଅନ୍ତିମ ଦର୍ଶନ ପାଇଁ ରାସ୍ତା ପାଲଟିଛି ଜନ ସମୁଦ୍ର। ଜଣେ ଅଭିନେତା ଭାବେ ନୁହନ୍ତି ଜଣେ ଭଲ ମଣିଷ ଭାବେ ଲୋକମାନେ ତାଙ୍କୁ କେତେ ଭଲ ପାଉଥିଳେ ତାହା ଏହି ଚିତ୍ର ପ୍ରମାଣ କରୁଛି।  ଶୁକ୍ରବାର ହୃଦଘାତ ଯୋଗୁ ପୁନିତଙ୍କ ଅକାଳ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା।

ପୂରା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ଓ ପୁନିତଙ୍କୁ ଭଲ ପାଉଥିବା ଲୋକମାନେ ଏହି ଖବର ପାଇ ସ୍ତବ୍ଧ ହୋଇ ଯାଇଛନ୍ତି। ରବିବାର ପୂର୍ଣ୍ଣ ରାଜ୍ୟ ମର୍ୟ୍ୟାଦା ସହ ଶ୍ରୀ କାର୍ନ୍ତିବା ଷ୍ଟୁଡିଓରେ ତାଙ୍କୁ ଅନ୍ତିମ ବିଦାୟ ଦିଆଯିବ। ଏହାପୂର୍ବରୀ ତାଙ୍କ ଅନ୍ତିମ ଦର୍ଶନ ପାଇଁ ହଜାର ହଜାର ଲୋକଙ୍କ ଭିଡ଼ କାଲି ଠାରୁ ଜାରି ରହିଛି।

କାଲିଠାରୁ ତାଙ୍କର ମରଶରୀରକୁ ଅନ୍ତିମ ଦର୍ଶନ ପାଇଁ ଶ୍ରୀ କାର୍ନ୍ତିବା ଷ୍ଟାଡିୟମରେ ରଖାଯାଇଛି। ନିଜ ପସନ୍ଦର ଷ୍ଟାରଙ୍କ ଅନ୍ତିମ ଦର୍ଶନ ପାଇଁ କାର୍ନ୍ତିବା ଷ୍ଟାଡିୟମକୁ ଲାଗିଥିବା ରାସ୍ତା ପୂରା ଜନସମୁଦ୍ରରେ ପରିଣତ ହୋଇଛି। ହଜାର ହଜାର ଲୋକ ଏକାଠି ହୋଇ ପୁନିତଙ୍କୁ ଶେଷଥର ପାଇଁ ଦେଖିବାକୁ ବ୍ୟାକୁଳ ହେଉଛନ୍ତି। ପୁଲିସ୍ ମଧ୍ୟ ଅନ୍ତିମ ଦର୍ଶନ ପାଇଁ ସବୁ ପ୍ରକାରର ସୁରକ୍ଷା ବ୍ୟବସ୍ଥା କରିଛି।

ସାମ୍ନାକୁ ଆସିଥିବା ଫଟୋ ଓ ଭିଡିଓ ଅନୁଯାୟୀ ହଜାର ହଜାର ଲୋକ ଏଭଳି ଭାବେ ଧାଡ଼ିରେ ଛିଡ଼ା ହୋଇଛନ୍ତି। ଷ୍ଟାଡିୟମ ଠାରୁ ଦୀର୍ଘ କିମି ରାସ୍ତା ଯାଏ ଏପରି ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ସମସ୍ତଙ୍କ ମୁହଁରେ ଗୋଟିଏ କଥା ପୁନିତ ତୁମେ ଫେରିଆସ। ପୁନିତ ଅମର ରହୈ। ଅନ୍ତିମ ଦର୍ଶନ କରିବା ବେଳେ ଲୋକମାନେ ମଧ୍ୟ କାନ୍ଦି କାନ୍ଦି ଆଗକୁ ଯାଉଥିବା ଦେଖିବାକୁ ମିଳିଛି।

ଷ୍ଟାଡିୟମରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ରହିଥିଲେ। ପୁନିତଙ୍କୁ ଦେଖିବା ପାଇଁ ଯେତିକି ଲୋକ ଏକାଠି ହୋଇଛନ୍ତି ପୂର୍ବରୁ କେବେ ହେଲେ କୌଣସି ଷ୍ଟାରଙ୍କ କ୍ଷେତ୍ରରେ ଏପରି ଦେଖା ଯାଇ ନଥିଲା।


ଅନ୍ୟପକ୍ଷରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁରେ ୩୧ ତାରିଖ ଯାଏ ମଦ ଦୋକାନ, ବାର ଓ ରେଷ୍ଟୁରାଣ୍ଟକୁ ବନ୍ଦ ରଖାଯାଇଛି। ବିଭିନ୍ନ ସ୍ଥାନରେ ପାଟ୍ରୋଲିଂକୁ ଜୋରଦାର କରାଯିବା ସହ ଲୋକଙ୍କୁ ଧୈର୍ୟ୍ୟ ରଖିବାକୁ ପରାମର୍ଶ ଦିଆଯାଉଛି।

ସୂଚନାଯୋଗ୍ୟ, ଶୁକ୍ରବାର ଜିମ୍ରେ ୪୬ ବର୍ଷୀୟ ପୁନିତ ୱାର୍କ ଆଉଟ କରୁଥିବା ବେଳେ ହଠାତ୍ ଟଳି ପଡ଼ିଥିଲେ। ତାଙ୍କୁ ବେଙ୍ଗାଲୁରୁର ଗୋଟିଏ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ତାଙ୍କର ଦେହାନ୍ତ ହୋଇଛି। ପୁନିତ ୬ ମାସରେ ହୋଇଥିବା ବେଳେ କନ୍ନଡ ଫିଲ୍ମରେ ଅଭିନୟ କରିଥିଲେ। ମାତ୍ର ୧୦ ବର୍ଷ ବୟସରେ ସେ ଜାତୀୟ ଫିଲ୍ମ ପୁରସ୍କାର ପାଇଥିଲେ।

ଅନେକ ସୁପର ହିଟ୍ ଫିଲ୍ମରେ ପୁନିତ ନିଜର ନିଖୁଣ ଅଭନୟ କରିଛନ୍ତି। ଆଜି ତାଙ୍କ ବିୟୋଗରେ ପୂରା କର୍ଣ୍ଣାଟକା ଦୁଃଖରେ ଭାଙ୍ଗି ପଡ଼ିଛି।