କୁକୁର ରକ୍ତ ପିଇଲେ ପିଲା

କୁକୁର ରକ୍ତ ପିଇଲେ ପିଲା

କୁକୁର ରକ୍ତ ପିଇଲେ ପିଲା

ବଲାଙ୍ଗୀର: ପଶୁବଳି ପରମ୍ପରା କି ଭଳି ଗଭୀର ଭାବରେ ଶିଶୁ ମାନଙ୍କ ଉପରେ ପଡ଼ିଛି ଶୁଣିଲେ ତାହା ଲୋମଟାଙ୍କୁରି ଉଠିବ । କିପରି ଏକ ଅମାନବୀୟ କାର୍ଯ୍ୟକଳାପ କରି ବସିଛନ୍ତି ଛୋଟ କୋମଳମୟୀ ଶିଶୁ ତାହାର ଏକ ଜ୍ୱଳନ୍ତ ଘଟଣା ଘଟିଛି ବଲାଙ୍ଗୀର ସଦର ମହକୁମା ଠାରୁ ମାତ୍ର ଦଶ କିଲୋମିଟର ଦୂର ପଣ୍ଡରାପିଟା ଗାଁରେ । ସାତ/ଆଠ ବର୍ଷର ପାଞ୍ଚ ଜଣ ଶିଶୁ ଖେଳରେ ଖେଳରେ ବଳିଯାତ୍ରା ପାଳିବା ସହ କୁକୁର ଛୁଆକୁ ମାରି ରକ୍ତ ପିଇଛନ୍ତି । ଏହି ଘଟଣା ଜାଣିବା ପରେ ପରିବାର ଲୋକଙ୍କର ହୋସ ଉଡ଼ିଯାଇଛି । ଏମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରି କୁକୁର କାମୁଡ଼ା ଏଆରଭି ଇଂଜେକସନ ଦିଆଯାଇଛି। 

ଗ୍ରାମବାସୀଙ୍କ କହିବା ଅନୁସାରେ, ଏହି ପିଲାମାନେ ଗାଁର ଏକ ସ୍ଥାନରେ ବଳିଯାତ୍ରା କରିଥିଲେ । ପ୍ଲାଷ୍ଟିକ ବାଜା ବଜାଇ ଶୋଭାଯାତ୍ରାରେ ଆସିଥିଲେ । ଗାଁରେ ବୁଲୁଥିବା କୁକୁର ଛୁଆକୁ ପାଟବୋଦା କରିଥିଲେ । ଶୁଲିଆ, ପାଟଖଣ୍ଡା ଓ କାନ୍ଦୁଲଯାତ୍ରାରେ ଦେଖିଥିବା ପୂଜା ପଦ୍ଧତି ଭଳି ପୂଜା ବି କରିଥିଲେ । ଶେଷରେ କୁକୁର ଛୁଆକୁ ବଳି ଦେଇ ଏହି ପିଲାମାନେ ରକ୍ତ ପିଇଥିଲେ । ଏହା ଜାଣିବା ପରେ ଚିନ୍ତିତ ହୋଇ ଲୋକେ ଏମାନଙ୍କୁ ଡ଼ାକ୍ତରଖାନା ନେଇଥିଲେ ଓ କୁକୁର କାମୁଡ଼ା ଇଞ୍ଜେକସନ ଦେଇଥିଲେ । ପଣ୍ଡରାପିଟାର ଏହି ଘଟଣାକୁ ଶିଶୁ ମଙ୍ଗଳ କମିଟି ଗୁରୁତର ସହ ନେଇଛି । ସଚେତନତା ସହିତ ପିଲାଙ୍କର ସ୍ୱାସ୍ଥ୍ୟକୁ ନେଇ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି କହିଛନ୍ତି ।