କର୍ମର ପାଞ୍ଚଟି ଉପାଦାନ କ’ଣ ଆସନ୍ତୁ ଜାଣିବା
କର୍ମର ପାଞ୍ଚଟି ଉପାଦାନ କ’ଣ ଆସନ୍ତୁ ଜାଣିବା
admin
Jan 17, 2020 - 12:48
Updated: Jan 17, 2020 - 12:48
ଭଗବାନ ଶ୍ରୀକୃଷ୍ଣ ମନୁଷ୍ୟର କର୍ମକୁ ପର୍ଯ୍ୟାଲୋଚନା କରି କର୍ମ କରିବା ପାଇଁ ପାଞ୍ଚଟି ଉପାଦାନର କଥା ‘ଶ୍ରୀମଦ ଭାଗବତଗୀତା’ରେ କହିଛନ୍ତି । ସେଗୁଡ଼ିକ ହେଉଛି ୧. ଅଧିଷ୍ଠାନ, ୨. କର୍ତ୍ତା, ୩. କରଣ, ୪. ପ୍ରୟାସ ଏବଂ ୫. ଦୈବ ।
୧. ଅଧିଷ୍ଟାନ: ଯାହାକୁ ଆଶ୍ରୟ କରି କର୍ମ କରାଯାଏ । ତାହା ଅଧିଷ୍ଠାନ । ମନୁଷ୍ୟ ବା ଜୀବର ଶରୀର ହେଉଛି ଅଧିଷ୍ଠାନ । ଏହି ଶରୀର ଦ୍ୱାରା ମନୁଷ୍ୟ ସମସ୍ତ କର୍ମ ସାଧନ କରିଥାଏ ।
୨. କର୍ତ୍ତା: ଶରୀର ମଧ୍ୟରେ ଯେଉଁ ବ୍ୟକ୍ତିତ୍ୱ ରହିଛି ସେ ହେଉଛି କର୍ତ୍ତା । ଶରୀର ଥାଇ ବ୍ୟକ୍ତିତ୍ୱ ନଥିଲେ ବା ବ୍ୟକ୍ତିତ୍ୱ ଥାଇ ଶରୀର ଅଯୋଗ୍ୟ ହୋଇଗଲେ କର୍ମ ହୋଇପାରିବ ନାହିଁ । ବ୍ୟକ୍ତିତ୍ୱ ଓ ଶରୀରକୁ ଚିହ୍ନଟ କରିବା ପାଇଁ ‘କର୍ତ୍ତା’ ନାମକରଣ କରାଯାଇଛି ।
୩. କରଣ: ମନୁଷ୍ୟକୁ କର୍ମ କରିବା ଦୁଇଟି କରଣ (କାରକ) ର ଆବଶ୍ୟକତା ରହିଛି । ‘ଅନ୍ତଃକରଣ’ ହେଉଛି ପୂର୍ବଜନ୍ମମାନଙ୍କର ସଂସ୍କାର । ଏହା କୌଣସି କର୍ମ କରିବାକୁ ଉତ୍ସାହିତ କରେ ତଥା କର୍ମକୁ ସୁଗମ କରେ । ବହିଃକରଣ ହେଉଛି ଏହି ଜନ୍ମର ପଞ୍ଚଜ୍ଞାନେନ୍ଦି୍ରୟ ଓ ପଞ୍ଚକର୍ମେନ୍ଦି୍ରୟ । ଏହା ମାଧ୍ୟମରେ ଅନ୍ତଃକରଣ ନିଜକୁ ପ୍ରକାଶ କରିଥାଏ ।
୪. ପ୍ରୟାସ : ଚତୁର୍ଥ ଉପାଦାନ ହେଉଛି ପ୍ରୟାସ ବା ଚେଷ୍ଟା । ସବୁକିଛି ଠିକଠାକ୍ ଥିଲେ ମଧ୍ୟ ଚେଷ୍ଟା ନକଲେ କୌଣସି କର୍ମ ହୋଇପାରେ ନାହିଁ । ଚେଷ୍ଟା କରଣ ପରସ୍ପରର ପରିପୂରକ । ଇନ୍ଦି୍ରୟମାନେ କର୍ମ ନ କଲେ ଚେଷ୍ଟା ମୂଲ୍ୟହୀନ ହୋଇଯାଏ ଏବଂ ଚେଷ୍ଟା ଥାଇ ଯଦି ଇନ୍ଦି୍ରୟମାନେ ସହଯୋଗ ନ କରନ୍ତି ତେବେ କର୍ମ ସମ୍ଭବପର ହୁଏ ନାହିଁ ।
୫. ଦୈବ: ପଞ୍ଚମ ହେତୁ ହେଉଛି ଦୈବ । ଅନେକେ ଦୈବକୁ ମନୁଷ୍ୟର ଭାଗ୍ୟ ବୋଲି କହନ୍ତି । କେହି କେହି ଦୈବକୁ ଈଶ୍ୱରଙ୍କର ଇଚ୍ଛା ସହିତ ତୁଳନା କରନ୍ତି । ଦୈବ ଏକ ଅଦୃଶ୍ୟ ଶକ୍ତିର ପରିକଳ୍ପନା । ଏହା ମନୁଷ୍ୟକୁ ଏକ ନିର୍ଦ୍ଧିଷ୍ଟ ପରିସ୍ଥିତି ବା ପରିବେଶକୁ ଟାଣିନିଏ । ପରିବେଶର ପ୍ରଭାବରେ କର୍ମ ବିନା ପ୍ରଚେଷ୍ଟାରେ ଆପେ ହୋଇଯାଏ ବା ବିନା କାରଣରେ ଭଣ୍ଡୁର ହୁଏ । ଏଣୁ ଦୈବ ହେଉଛି ପରିବେଶ ।
ମନବାଣୀ ଓ ଶରୀର ଦ୍ୱାରା ମନୁଷ୍ୟ ସମସ୍ତ କର୍ମ କରିଥାଏ । ଏହି କର୍ମ ଠିକ୍ ଅଥବା ଭୁଲ ହୋଇପାରେ । ଜ୍ଞାତା, ଜ୍ଞାନ ଓ ଜେ୍ଞୟ ଏହି କର୍ମରେ ପ୍ରେରଣା ଯୋଗାନ୍ତି । କର୍ତ୍ତା, କରଣ ଓ କି୍ରୟା କର୍ମକୁ ସମ୍ପନ୍ନ କରାନ୍ତି ।