ଆଜି ଗୁଜରାଟ ଟାଇଟାନ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଲଢ଼େଇ

ଆଜି ଗୁଜରାଟ ଟାଇଟାନ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଲଢ଼େଇ

ଅହମ୍ମଦାବାଦ୍‌: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)-୨୦୨୩ର ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଗୁଜରାଟ ଟାଇଟାନ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ୧୩ତମ ଲିଗ୍‌ ମ୍ୟାଚ ଖେଳାଯିବ। ଉଭୟ ଦଳ ୩ୟ ଲିଗ୍‌ ମ୍ୟାଚ ଖେଳିବେ। ଉଭୟ ଦଳ ଶେଷ ମ୍ୟାଚ ଜିତିଥିବାରୁ ବିଜୟ ଧାରା ବଜାୟ ରଖିବାକୁ ଉଦ୍ୟମ କରିବେ।
ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧିନ ଗୁଜରାଟ ଟାଇଟାନ୍‌ସ ପ୍ରଥମ ଦୁଇ ମ୍ୟାଚରେ ଜିତି ଅପରାଜୟ ରହିଛି। ଦଳ ଚେନ୍ନଇ ସୁପରକିଙ୍ଗ୍‌ସକୁ ୫ ୱିକେଟ ଓ ଦିଲ୍ଲୀ କ୍ୟାପିଟାଲ୍‌ସକୁ ୬ ୱିକେଟରେ ପରାସ୍ତ କରିଥିଲା। ବ୍ୟାଟିଂରେ ଶୁବମାନ ଗିଲ୍‌ ଦୁଇଟି ମ୍ୟାଚରୁ ୭୭ରନ, ରିଦ୍ଧିମାନ ସାହ ୩୯, ବିଜୟ ଶଙ୍କର ୫୬ରନ କରିଛନ୍ତି। ଅନ୍ୟତମ ବ୍ୟାଟ୍‌ସମ୍ୟାନ ସାଇ ସୁଦର୍ଶନ ଦୁଇଟି ମ୍ୟାଚରୁ ୮୪ରନ କରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍‌ସ ବିପକ୍ଷରେ ସାଇ ସୁଦର୍ଶନ ଅପରାଜିତ ୬୨ରନର ଇନିଂସ ଖେଳି ଦଳକୁ ବିଜୟୀ କରାଇଥିଲେ। ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଦୁଇଟି ମ୍ୟାଚରୁ ମାତ୍ର ୧୩ରନ କରିଛନ୍ତି। ପାଣ୍ଡ୍ୟା ବ୍ୟାଟିଂ ଫର୍ମକୁ ଫେରିବା ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଛି। ରାହୁଲ ତିୱାତିଆ ମଧ୍ୟ ଉଭୟ ବ୍ୟାଟିଂ ଓ ବୋଲିଂ କରିବାର ଦକ୍ଷତା ରଖିଛନ୍ତି। ବୋଲିଂରେ ମହମ୍ମଦ ସାମି, ଜୋଶ ଲିଟ୍‌ଲି,ଆଲଜାରୀ ଜୋଶେଫ,ୟଶ ଦୟାଲ,ରସିଦ ଖାନ ଓ ହାର୍ଦିକ ପାଣ୍ଡ୍ୟା ପ୍ରମୁଖ ରହିଛନ୍ତି। ସାମି ୨ଟି ମ୍ୟାଚରୁ ୫ ଟି ଓ , ଜୋଶେଫ ୫ଟି, ରସିଦ୍‌ ୫ଟି ୱିକେଟ ନେଇ ଭଲ ଫର୍ମରେ ରହିଛନ୍ତି। ଅନ୍ୟପକ୍ଷରେ କଲକାତା ନାଇଟ୍‌ ରାଇଡର୍ସ ୨ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ବରଣ କରିଛି। ଦଳ ପ୍ରଥମ ମ୍ୟାଚରେ ପଞ୍ଜାବ କିଙ୍ଗ୍‌ସ ନିକଟରୁ ଉଭୟ ବ୍ୟାଟିଂ ଓ ବୋଲିଂରେ ଦୁର୍ବଳ ପ୍ରଦର୍ଶନ କରି ପରାଜିତ ହୋଇଥିବାବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଦୃଢ ପ୍ରତ୍ୟାବର୍ତ୍ତନ କରିଥିଲା। ଆରସିବି ବିପକ୍ଷରେ ସାର୍ଦୁଳ ଠାକୁର, ରହେମୁଲ୍ଲା ଗୁର୍‌ବାଜ୍‌ ଓ ରିଙ୍କୁ ସିଂହ ଚମତ୍କାର ବ୍ୟାଟିଂ କରିଥିବାବେଳେ ବରୁଣ ଚକ୍ରବର୍ତ୍ତୀ, ସୁନୀଲ ନାରିନ ଓ ଯୁବ ସ୍ପିନର ସୁୟାଶ ଶର୍ମା ବିପକ୍ଷ ଦଳ ବ୍ୟାଟିଂକୁ ବିଧ୍ବସ୍ତ କରି ଦେଇଥିଲେ। ଏବେ କେକେଆର ପାଇଁ ଟପ୍‌ ଅର୍ଡର ବ୍ୟାଟ୍‌ସମ୍ୟାନ ରନ କରିବା ଏକାନ୍ତ ଜରୁରୀ ହୋଇପଡିଛି। ମନଦୀପ୍‌ ସିଂହ, ନିତିଶ ରାଣା, ଭେଙ୍କଟେଶ ଆୟାର,ଆ​‌େ​‌ଣ୍ଡ୍ର ରସେଲଙ୍କୁ ରନ କରିବାକୁ ପଡିବ। ୨୦୨୨ରେ ଶେଷ ଥର ପାଇଁ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ। ଏଥିରେ ଗୁଜରାଟ ୮ ୱିକେଟରେ ବିଜୟୀ ହୋଇଥିଲା। ବର୍ତ୍ତମାନ ଗୁଜରାଟ ଟାଇଟାନସ୍‌ ଯେଉଁଭଳି ଭାବେ ଫର୍ମରେ ରହଛି କେକେଆର ପାଇଁ ମ୍ୟାଚ ଜିତିବା ସହଜ ମନେ କରାଯାଉନାହିଁଁ।