ଆରପାରିରେ ଶାକାହାରୀ କୁମ୍ଭୀର ବାବିୟା
ଆରପାରିରେ ଶାକାହାରୀ କୁମ୍ଭୀର ବାବିୟା
କେରଳର ଶ୍ରୀଅନନ୍ତପଦ୍ମନାଭ ସ୍ୱାମୀ ମନ୍ଦିରରେ ଥିବା ଶାକାହାରୀ କୁମ୍ଭୀର ବାବିୟାର ମୃତ୍ୟୁ ହୋଇଛି । କାସରଗୋଡ଼ ଜିଲ୍ଲାରେ ଅବସ୍ଥିତ ଏହି ମନ୍ଦିର ପୋଖରୀରେ ଏକମାତ୍ର କୁମ୍ଭୀର ରୂପେ ତାହା ବାସ କରୁଥିଲା ବୋଲି ମନ୍ଦିର କର୍ମକର୍ତ୍ତା ମାନେ କହିଛନ୍ତି । ଗତ ରବିବାର ରାତିରେ ଏହାର ମୃତ୍ୟୁ ହୋଇଛି । ଗତ ଶନିବାରରୁ ଏହା ନିଖୋଜ ଥିଲା । ରବିବାର ରାତିରେ ତା’ର ଶବ ପୋଖରୀରେ ଭାସୁଥିବା ମନ୍ଦିର କର୍ମକର୍ତ୍ତା ମାନେ ଦେଖିବାକୁ ପାଇଥିଲେ । ଏହି ଖବର ପ୍ରସାରିତ ହେବା ପରେ ଶତାଧିକ ଲୋକ ଶାକାହାରୀ କୁମ୍ଭୀରର ଶେଷ ଦର୍ଶନ କରି ତା’ ପ୍ରତି ସମ୍ମାନ ଜଣାଇଥିଲେ । ମନ୍ଦିର କର୍ମକର୍ତ୍ତାଙ୍କ ଦାବି, କୁମ୍ଭୀର ବାବିୟା କେବଳ ମନ୍ଦିରରେ ପ୍ରସ୍ତୁତ ପ୍ରସାଦ ଖାଉଥିଲା । ପୋଖରୀରେ ଥିବା ମାଛ ସେ ଆଦୌ ଖାଉନଥିଲା । ମନ୍ଦିରର ସମସ୍ତ ସ୍ଥାନକୁ ତା’ର ଅବାଧ ପ୍ରବେଶ ଥିଲା । ଅନେକ ସମୟରେ କୁମ୍ଭୀରଟି ସୂର୍ଯ୍ୟକିରଣ ପାଇବାକୁ ବାହାରକୁ ଆସି ବୁଲୁଥିଲା ।
ବାବିୟା ୭୦ ବର୍ଷ ଧରି ମନ୍ଦିରରେ ଥିଲା ବୋଲି ତା’ର ଶେଷ ଦର୍ଶନରେ ପହଞ୍ଚିଥିବା କେନ୍ଦୀୟ କୃଷି ଓ କୃଷକ କଲ୍ୟାଣ ରାଜ୍ୟ ମନ୍ତ୍ରୀ ଶୋଭା କରନଦଲାଜେ ଟ୍ୱିଟ କରିଛନ୍ତି । ଆଜି ପର୍ଯ୍ୟନ୍ତ ଏହି କୁମ୍ଭୀରଟି କାହାର କୌଣସି କ୍ଷତି କରିନାହିଁ । ୧୯୪୫ ମସିହାରେ ଜଣେ ବ୍ରିଟିଶ ସୈନ୍ୟ ଅନ୍ୟ ଏକ କୁମ୍ଭୀରକୁ ଗୁଳି କରିବାର କିଛି ଦିନ ପରେ ମନ୍ଦିର ପୋଖରୀରେ ବାବିୟା କୁମ୍ଭୀର ଦେଖିବାକୁ ମିଳିଥିଲା ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ । ମନ୍ଦିର ଆଖପାଖ ଲୋକଙ୍କ କହିବା ଅନୁସାରେ, ଏହା ମନ୍ଦିର ପୋଖରୀରେ ବିଚରଣ କରୁଥିବା ୩ୟ କୁମ୍ଭୀର ଥିଲା । ଏଠାରେ ଗୋଟିଏ କୁମ୍ଭୀର ଦେଖାଯାଉଥିଲା । ସେ ବୃଦ୍ଧ ହୋଇ ମରିବା ପରେ ହଠାତ ଆଉ ଏକ କୁମ୍ଭୀର ନଜର ଆସୁଥିଲେ ।




admin 